ସେପ୍ଟେମ୍ବରରେ ଦେଶରେ କରୋନାର ଅନ୍ତ ! ବିଶେଷଜ୍ଞ କଲେ ଏମିତି ଆକଳନ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଭଳି କିଛି ଆକଳନ କରିଛନ୍ତି, ଯାହା କିଛି ମାତ୍ରାରେ ଆଶ୍ୱସ୍ତି ଆଣିଛି। ସେପ୍ଟେମ୍ବର ମଧ୍ୟଭାଗ ବେଳକୁ ଭାରତରେ ମହାମାରୀ କରୋନାର ଅନ୍ତ ଘଟିପାରେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ୱାସ୍ଥ୍ୟ ବିଶେଷଜ୍ଞ-ଡାକ୍ତର ଅନୀଲ କୁମାର ଓ ରୂପାଲୀ ରୟ ଗାଣିତିକ ଆକଳନ ‘ବେଲି ମଡେଲ୍‌’କୁ ଆଧାର କରି ଏଭଳି କିଛି ଆକଳନ କରିଛନ୍ତି।

ସେମାନଙ୍କ ଅଧ୍ୟୟନ ସଂକ୍ରାନ୍ତ ତଥ୍ୟ ଅନ୍‌ଲାଇନ୍‌ ଜର୍ଣ୍ଣାଲ୍‌ ଏପିଡେମିଲୋଜି ଇଣ୍ଟରନ୍ୟାସନାଲରେ ପ୍ରକାଶ ପାଇଛି। 

ସେମାନେ କରିଥିବା ଆକଳନ ଅନୁସାରେ, ଯେତେବେଳେ ଆକ୍ରାନ୍ତଙ୍କ ସଂଖ୍ୟା ସହିତ ସୁସ୍ଥ ହେଉଥିବା ଓ ମୃତ୍ୟୁ ହେଉଥିବା ସଂଖ୍ୟା ସମାନ ହୋଇଯିବ, ସେତେବେଳେ ମହାମାରୀର ଅନ୍ତ ଘଟିବ। କାହିଁକି ନା ଯଦି ସୁସ୍ଥ ହୋଇଥିବା ବ୍ୟକ୍ତି ଓ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ସମାନ ହୋଇଯାଏ ଓ ସେହି ସଂଖ୍ୟାକୁ ମିଶାଇଲେ ତାହା ଯଦି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା(ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା) କିମ୍ବା ତା’ଠାରୁ ଅଧିକ ହୁଏ ତେବେ ଧୀରେ ଧୀରେ ସଂକ୍ରମଣ ହାର ମଧ୍ୟ ହ୍ରାସ ପାଇବ।

ଏହି ମଡେଲରେ ସମସ୍ତ ଆକ୍ରାନ୍ତଙ୍କ ସଂଖ୍ୟା ସହିତ ସୁସ୍ଥ ହେଉଥିବା ବ୍ୟକ୍ତି ଓ ମୃତକଙ୍କ ସଂଖ୍ୟାକୁ ବିଚାରକୁ ନିଆଯାଇଥାଏ। ଏହି ମଡେଲ ଏକ ନିର୍ଦ୍ଦିଷ୍ଟ ସମୟ ସୀମାକୁ ବିଚାରକୁ ନେଇ ପ୍ରସ୍ତୁତ ହୋଇଛି। ଏଥିରେ ଜନ୍ମହାର, ମୃତ୍ୟୁ ହାର, ପ୍ରାକୃତିକ ବିପର୍ଯ୍ୟୟ, ଗୁରୁତ୍ୱପୂର୍ଣ୍ଣ ଜାତୀୟ ଓ ଅନ୍ତର୍ଜାତୀୟ ଘଟଣାବଳୀକୁ ବିଚାରକୁ ନିଆଯାଇ ନାହିଁ।

ମେ’ ୧୯ ସୁଦ୍ଧା ଦେଶରେ ସଂକ୍ରମିତ ହାର ୪୨ ପ୍ରତିଶତ ରହିଥିଲା, ଏବେ ୫୦ ପ୍ରତିଶତ ରହିଛି। ସେପ୍ଟେମ୍ବର ମଧ୍ୟ ଭାଗ ସୁଦ୍ଧା ଏହା ୧୦୦ ପ୍ରତିଶତ ହୋଇପାରେ। ଫଳରେ କରୋନାର ଅନ୍ତ ଘଟିପାରେ ବୋଲି ଆକଳନ କରାଯାଉଛି।

ଏହି ଡକ୍ୟୁମେଣ୍ଟ୍‌ ଅନୁସାରେ, ପ୍ରକୃତରେ ମାର୍ଚ୍ଚ ୨ରେ ଭାରତରେ ମହାମାରୀ କରୋନାର ଆରମ୍ଭ ହୋଇଥିଲା। ସେହି ଦିନଠାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି।

You might also like