ଦେଶରେ କରୋନା କ୍ୟାପିଟାଲ୍ ପାଲଟିଛି ମହାରାଷ୍ଟ୍ର: ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୫୮
ମୁମ୍ବାଇ: ଦେଶର କରୋନା କ୍ୟାପିଟାଲ୍ ପାଲଟିଛି ମହାରାଷ୍ଟ୍ର। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୭୫୮ରେ ପହଞ୍ଚିଛି। ରାଜ୍ୟରେ ଗତକାଲି ୯୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧୭ଶହ ୯୨ରେ ପହଞ୍ଚିଛି।
ତେବେ ମହାରାଷ୍ଟ୍ରର ଅଧାରୁ ଅଧିକ କରୋନା ଆକ୍ରାନ୍ତ ଓ ସେଥିଜନିତ ମୃତ୍ୟୁ ମୁମ୍ବାଇରେ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଚିନ୍ତା ବଢ଼ାଇଛି ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସମସ୍ୟା। ଏଭଳି ଭୟର ବାତାବରଣ ଭିତରେ ପ୍ରାୟ ୩ ମାସ ହେଲା ରୋଜଗାର ହରାଇ ଘରକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆମାନେ ବି ଦୁର୍ଦ୍ଦିନରେ ଅଛନ୍ତି।
ମାୟା ନଗରୀରେ ହୁହୁ ହୋଇ ମାଡ଼ି ଚାଲିଛି ମହାମାରୀ ନିଆଁ। ମାର୍ଚ୍ଚ ୧୧ରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ କରିଥିଲା ମୁମ୍ବାଇ। ୩ ମାସ ପୁରିନି, ୩୩ ହଜାର ଛୁଇଁବାକୁ ବସିଲାଣି ସଂଖ୍ୟା। ଗଲାଣି ହଜାରେରୁ ଅଧିକ ଜୀବନ।
ମହାରାଷ୍ଟ୍ରର ୬୨ ପ୍ରତିଶତ ଆକ୍ରାନ୍ତ ମୁମ୍ବାଇର ହୋଇଥିବା ବେଳେ, ସେଠାରେ ପ୍ରାୟ ୧୦ ଦିନରେ ଦୁଇଗୁଣ ହେଉଛି ରୋଗୀଙ୍କ ସଂଖ୍ୟା। ଏଭଳି ସ୍ଥିତିରେ, ସାମ୍ନାକୁ ଆସିଛି ଏହି ସାଂଘାତିକ ଭିଡିଓ। ଯେଉଁଠି ରୋଗୀଙ୍କ ଚିକିତ୍ସା ଚାଲିଛି, ସେଇଠି ଘଣ୍ଟା ଘଣ୍ଟା ଧରି ମୃତଦେହ ପଡ଼ିରହିଛି। କରିଡରରେ ପଡ଼ି ରହିଥିବା ଶବ ଦେଇ ଡାକ୍ତର-ନର୍ସଙ୍କୁ ଓ୍ୱାର୍ଡକୁ ଯିବାକୁ ପଡୁଛି। ରୋଗୀଙ୍କ ପାଇଁ ବେଡ୍ ଏବଂ ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁ ମୁମ୍ବାଇରେ ଏକପ୍ରକାର ଭୁଶୁଡ଼ିବାକୁ ବସିଛି ସ୍ୱାସ୍ଥ୍ୟସେବା ଭିତ୍ତିଭୂମି।
ସଂକଟାପନ୍ନ ରୋଗୀଙ୍କ ପାଇଁ ମୁମ୍ବାଇରେ ମାତ୍ର ୧୦ ହଜାର ବେଡ୍ ଥିବା ବେଳେ, ଏହି ସଂଖ୍ୟା ମେ ଶେଷ ସୁଦ୍ଧା ୧୪ ହଜାର ଓ ଜୁନ୍ ମାସରେ ୧ ଲକ୍ଷକୁ ବୃଦ୍ଧି କରାଯିବ ବୋଲି ମୁମ୍ବାଇ ମହାନଗର ନିଗମର କମିଶନର କହିଛନ୍ତି।
ଏଥିସହ ମୁମ୍ବାଇରେ ପ୍ରତି ଆକ୍ରାନ୍ତଙ୍କ ଅତିକମ୍ରେ ୧୫ ସଂପର୍କୀୟଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରଖିବାକୁ ‘ଚେଜ୍ ଦ ଭାଇରସ୍’ ଅଭିଯାନ ଆରମ୍ଭ ହୋଇଛି।
ସଂକ୍ରମଣ ସହିତ ଶ୍ରମିକ ସମସ୍ୟା ବି ମୁମ୍ବାଇ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ମାୟା ନଗରୀରୁ ମାୟା ଛାଡ଼ିଗଲା ପରେ, ଘର ମୁହାଁ ଲକ୍ଷ ଲକ୍ଷ ଶ୍ରମିକ। ଲୋକମାନ୍ୟ ତିଲକ ଟର୍ମିନାନ୍ଲେ ହଜାର ହଜାର ସଂଖ୍ୟାରେ ଶ୍ରମିକ ଘରକୁ ଯିବାକୁ ଟ୍ରେନ୍ ଅପେକ୍ଷାରେ ଥିବା ଦେଖିବାକୁ ମିଳିଛି।
ମୁମ୍ବାଇରେ ଓଡ଼ିଆ ଦୁର୍ଦ୍ଦଶା ବି କିଛି କମ୍ ନୁହେଁ। ଲକ୍ଷଲକ୍ଷ ଶ୍ରମିକ ଓଡ଼ିଶା ଫେରିବା ଆଶାରେ ସୋସିଆଲ୍ ମିଡିଆରେ ଭିଡିଓ ଛାଡ଼ି ସରକାରୀ ସହାୟତା ଲୋଡ଼ିଛନ୍ତି। କିଛି ଲୋକ ଚିକିତ୍ସା ପାଇଁ ଯାଇ ଫସିରହିଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ର ସରକାର ମଧ୍ୟ ଏଥିପାଇଁ କୌଣସି ସହାୟତା କରୁନଥିବା ଅଭିଯୋଗ ହୋଇଛି।
ମୁମ୍ବାଇରେ ପ୍ରାୟ ୮ ଜଣ ପ୍ରବାସୀ ଓଡ଼ିଆଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ, ଅନେକ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।