ବିମାନ ଚଳାଚଳ ମନ୍ତ୍ରାଳୟର କର୍ମଚାରୀଙ୍କୁ କରୋନା; କାର୍ଯ୍ୟାଳୟ ସିଲ୍‌

ନୂଆଦିଲ୍ଲୀ: ରାଜୀବଗାନ୍ଧି ଭବନ ପରିସରରେ ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ୱିଙ୍ଗ୍‌ କୁ ସିଲ୍‌ କରାଯାଇଛି। ଗତ ୧୫ ତାରିଖରେ ମନ୍ତ୍ରାଳୟର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।  ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସବୁ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ପ୍ରଥମ ମନ୍ତ୍ରାଳୟ ଭାବେ ଏହି କାର୍ଯ୍ୟାଳୟ ସିଲ୍‌ ହୋଇଛି। ଏହା ପୂର୍ବରୁ ରାଷ୍ଟ୍ରପତି ଭବନର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଲୋକସଭାର ଜଣେ କର୍ମଚାରୀଙ୍କ ଠାରେ ମଧ୍ୟ କରୋନା ପଜିଟିଭ୍ ହୋଇଥିଲା।

ସେପଟେ କଣ୍ଟାକ୍ଟ ଟ୍ରେସିଂ ପାଇଁ ଦିଲ୍ଲୀ ସରକାର ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅନ୍ୟପଟେ ମନ୍ତ୍ରାଳୟର କର୍ମଚାରୀଙ୍କ ସହ ଆମେ ସମସ୍ତେ ଛିଡ଼ା ହୋଇଛୁ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମନ୍ତ୍ରୀ ହରଦୀପ ସିଂହ ପୁରୀ । ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ କର୍ମଚାରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଆବଶ୍ୟକ ମେଡିକାଲ ସୁବିଧା ଯୋଗାଇ ଦେବାକୁ ପ୍ରାଥମିକତା ଦିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

You might also like