ସୁଟ୍‌କେଶ ଉପରେ ଶୋଇଛି ଭୋକିଲା ପୁଅ, ସୁଟ୍‌କେଶକୁ ଟାଣି ଟାଣି ଚାଲୁଛନ୍ତି ମା‘

ଆଗ୍ରା: ପେଟରେ ଭୋକ, ହେଲେ ଆଖି ସାମ୍ନାରେ ଯମଦୂତ ପରି ଠିଆ ହୋଇଛି ରୋଗ। ଏମିତି ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରିବା ପାଇଁ ସବୁ ପ୍ରକାର ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ଶ୍ରମିକମାନେ।  ସେଥିପାଇଁ ତ ଶହ ଶହ କିଲୋମିଟର୍ ଦୂର ଘରକୁ ପାଦରେ ଚାଲି ଚାଲି ଫେରୁଛନ୍ତି । ଜଣେ କି ଦୁଇ ଜଣ ନୁହେଁ ହଜାର ହଜାର ଲୋକ ନିଜ ଜୀବନକୁ ବିପଦରେ ପକାଇ ଚାଲୁଛନ୍ତି।

ଏମିତି ଏକ  ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଝାନ୍ସିରେ। ଯେଉଁଠି ମାଆ ନିଜ ପୁଅକୁ ସୁଟକେସ୍‌ ଉପରେ ରଖି ଟାଣି ଟାଣି ନେଉଛି। ଆଗ୍ରାରେ ଦିନ ମଜୁରିଆ ଭାବେ କାମ କରୁଥିବା ଏହି ମହିଳା ଲକଡାଉନ୍ ପରେ ଜୀବିକା ହରାଇଥିଲେ।

ଖାଇବା ଯୋଗାଡ଼ କରିବା କଷ୍ଟକର ହେବା ପରେ ଘରକୁ ଫେରିବେ ବୋଲି ନିଷ୍ପତ୍ତି ନେଲେ। ହେଲେ ଆସିବେ କେମିତି ? ଲକଡାଉନ ଯୋଗୁ ସବୁ କିଛି ବନ୍ଦ। ଏକ ସୁଟ୍‌କେସ୍‌ରେ ଯାହାକିଛି ଜିନିଷ ଭର୍ତ୍ତି କରି ନିଜ ଛୋଟ ପୁଅକୁ ଧରି ଅନ୍ୟମାନଙ୍କ ସହ ପଦଯାତ୍ରାରେ ବାହାରିଲେ। 

ଖାଲି ପେଟରେ କିଛି ବାଟ ଚାଲିବାପରେ ପୁଅଟି ଥକି ପଡ଼ିଛି। ପୁଅକୁ କାଖରେ ଧରି ଯିବା ତ ସମ୍ଭବ ନୁହେଁ। ଶେଷରେ ଚାଲି ଚାଲି ଥକି ଯାଇଥିବା କୁନି ପୁଅକୁ ଟ୍ରଲି ସୁଟକେଶ ଉପରେ ଶୋଇପଡ଼ିଛି। ମା’ ସୁଟ୍‌କେଶକୁ ଟାଣି ଟାଣି ନେଉଛନ୍ତି।  ଅନେକ ବାଟ ଟାଣି ଟାଣି ନେଉଛନ୍ତି ମହିଳାଜଣକ। ହେଲେ ଥକି ପଡ଼ି ନାହାନ୍ତି।  ଏହାକୁ କେହି ଜଣେ ଭିଡିଓ ରେକର୍ଡିଂ କରି ଦେଇଛି।  ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

You might also like