ଇସ୍ରାଏଲବାସୀଙ୍କୁ ଭାରତ ଯିବା ମନା !

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଜ ନାଗରିକଙ୍କୁ ଭାରତ ସମେତ ୭ଟି ଦେଶ ବୁଲିବା ଉପରେ କଟକଣା ଜାରି କରିଛି ଇସ୍ରାଏଲ । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ସେଥିରେ କୁହାଯାଇଛି ଯେ, ଇସ୍ରାଏଲ ନାଗରିକଙ୍କୁ ୟୁକ୍ରେନ, ବ୍ରାଜିଲ, ଇଥୋପିଆ, ଦକ୍ଷିଣ ଆଫ୍ରିକା, ଭାରତ, ମେକ୍ସିକୋ ଓ ତୁର୍କୀ ଭ୍ରମଣ ଉପରେ ଅନୁମତି ଦିଆଯିବନାହିଁ । ଏହି ନିୟମ ଆସନ୍ତା ୩ ତାରିଖ (ସୋମବାର)ରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ ।

ଇସ୍ରାଏଲରେ ରହୁଥିବା ଅଣନାଗରିକମାନେ ଯଦି ଏହି ଦେଶ ଭ୍ରମଣ କରିବେ, ତେବେ ସେମାନଙ୍କୁ ଅନ୍ୟତ୍ର ରହିବାକୁ ଯୋଜନା କରିବାକୁ ପଡିବ। ତେବେ ଏୟାରପୋର୍ଟରେ ରହୁଥିବା ବ୍ୟକ୍ତିମାନଙ୍କ ଠାରେ ଏହି ନିୟମ ଲାଗୁ କରାଯିବ ନାହିଁ । ଅର୍ଥାତ ଏହି ୭ଟି ଦେଶକୁ ଯିବା ପାଇଁ ଅନ୍ୟ ବିମାନକୁ ଅପେକ୍ଷା କରିଥିବାର ସମୟ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିପାରିବ । ଦେଶର କୋଭିଡ୍ ସ୍ଥିତିର ସମୀକ୍ଷା କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ଗଠନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ଇସ୍ରାଏଲ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏପରିକି ସମ୍ପୃକ୍ତ ୭ଟି ଦେଶରୁ କେହିବି ଆସିଲେ ୨ ସପ୍ତାହ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବେ । ଏପରିକି କରୋନାରୁ ସୁସ୍ଥ ହୋଇଥିଲେ କିମ୍ବା ଟିକା ନେଇଥିଲେ ମଧ୍ୟ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ କୋଭିଡ୍ ୧୯ ନେଗେଟିଭ୍ ସାର୍ଟିଫିକେଟ୍ ପାଇଥିବେ ସେମାନେ ୧୦ ଦିନ କ୍ୱାରେଣ୍ଟିନରେ ରହିବେ । ଇସ୍ରାଏଲ ପାର୍ଲିଆମେଣ୍ଟରେ ଅନୁମୋଦନ ହେବାପରେ ଏହି ନିୟମ ଆସନ୍ତା ୩ ତାରିଖ ଠାରୁ ଲାଗୁ କରାଯିବ ।

ଭାରତରେ କୋଭିଡ୍ ସ୍ଥିତି ଉପରେ ସାରା ବିଶ୍ୱର ନଜର ରହିଛି । ପ୍ରତିଦିନ କରୋନା ମୃତ୍ୟୁରେ ରେକର୍ଡ କରୁଛି ଭାରତ ।  ଦେଶରେ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୯୨ ହଜାର ୪୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ। ଏହାକୁ ମିଶାଇ ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୫ ଲକ୍ଷ ୫୭ ହଜାର ୪୫୭କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ଦିନକରେ ୩ ହଜାର ୬୮୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଏବେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୫ ହଜାର ୫୪୨କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ଏବେ ୩୩ ଲକ୍ଷ ୪୯ ହଜାର ୬୪୪ ଆକ୍ଟିଭ କେସ୍ ରହିଥିବା ବେଳେ ୧ କୋଟି ୫୯ ଲକ୍ଷ ୯୨ ହଜାର ୨୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

You might also like