ନୂଆଦିଲ୍ଲୀ : ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା କମୁଛି । କରୋନାର ଦ୍ୱିତୀୟ ଲହରୀ ଧୀରେ ଧୀରେ ଥମୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସଂକ୍ରମଣ ହାର କମ୍ ହେଉଥିବା ବେଳେ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଗତ ଏକ ସପ୍ତାହରେ ମୃତ୍ୟୁ ହାର ୪୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ୧୪ରୁ ୨୦ ଜୁନ ମଧ୍ୟରେ ଏହି ତଥ୍ୟ ସଂଗ୍ରହ ହୋଇଛି । ଏହି ସମୟରେ ମୃତ୍ୟୁ ସଂଖ୍ୟା ୧୪ ହଜାରରୁ ତଳକୁ ଖସିଛି । ବିଗତ ୯ ସପ୍ତାହରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି, ଯେଉଁଠି ମୃତ୍ୟୁ ସଂଖ୍ୟା ୨ ହଜାରରୁ ତଳକୁ ରହିଛି ।

ଗତ ସପ୍ତାହରେ ଅର୍ଥାତ୍ ଜୁନ୍ ୧୪ ରୁ ୨୦ ମଧ୍ୟରେ ସାରା ଦେଶରେ କରୋନା କାରଣରୁ ୧୩୮୮୬ ଜଣଙ୍କର ମୃତ୍ୟୁ ହୋଇଥିଲା। ତୁଳନାତ୍ମକ ଭାବେ ତା’ ପୂର୍ବ ସପ୍ତାହ ଅପେକ୍ଷା କମ୍ ମୃତ୍ୟୁ ରେକର୍ଡ଼ ହୋଇଥିଲା । ସାରା ଦେଶରେ ମଧ୍ୟ କରୋନା ଯୋଗୁଁ ମୃତ୍ୟୁ ହାର କ୍ରମାଗତ ଭାବେ ହ୍ରାସ ପାଉଛି । କିନ୍ତୁ ଗୋଟିଏ ସପ୍ତାହ ମଧ୍ୟରେ ଏତେ ବଡ ହ୍ରାସ ହେବାର ସବୁଠାରୁ ବଡ କାରଣ ହେଉଛି ‘ବ୍ୟାକଲଗ୍’ ତଥ୍ୟର ଅଭାବ। ସୂଚନା ଅନୁସାରେ ଏହା ହେଉଛି ପୁରୁଣା ତଥ୍ୟ, ଯାହା ରାଜ୍ୟ ସରକାର ବର୍ତ୍ତମାନ କେନ୍ଦ୍ରକୁ ପଠାଉଛନ୍ତି । ଚଳିତ ସପ୍ତାହରେ ୫୧୫୧ ପୁରୁଣା ଡାଟାକୁ ଯୋଡ଼ାଯାଇଥିଲା । ଗତ ସପ୍ତାହରେ ମୃତ୍ୟୁ ସଂଖ୍ୟା ୧୧୮୭୫ ଥିଲା ।

ଏପର୍ଯ୍ୟନ୍ତ ମୃତ୍ୟୁର ପୁରୁଣା ସଂଖ୍ୟାରେ ମହାରାଷ୍ଟ୍ରରୁ ସର୍ବାଧିକ ରିପୋର୍ଟ ରେକର୍ଡ କରାଯାଇଛି। ମହାରାଷ୍ଟ୍ରରେ ମେ ମାସର ପ୍ରଥମ ସପ୍ତାହରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୭୬୦୦ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏଥିରେ ୨୨,୮୭୫ ପୁରୁଣା ମୃତ୍ୟୁ ସଂଖ୍ୟା ଯୋଡ଼ାଯାଇଥିବା କୁହାଯାଇଛି । ରାଜ୍ୟରେ ମୋଟ ସଂକ୍ରମଣ ମାମଲା ୫୯,୭୨,୭୮୧ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧,୧୭,୯୬୧ କୁ ବୃଦ୍ଧି ପାଇଛି । ରାଜ୍ୟରେ ଆରୋଗ୍ୟ ହାର ବର୍ତ୍ତମାନ ୯୫.୭୬ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୧.୯୭ ପ୍ରତିଶତ ରହିଛି।

ସୂଚନାଯୋଗ୍ୟ ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନା ନିଜ କାୟା ମେଳାଇ ପାରେ ବୋଲି ଆଶଙ୍କା କରାଯାଉଛି। ମୁମ୍ବାଇରେ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିସାରିଛନ୍ତି । ତୃତୀୟ ଲହର, ଦ୍ୱିତୀୟ ଲହର ଅପେକ୍ଷା ଦୁଇଗୁଣ ମାରାତ୍ମକ ହୋଇପାରେ । ତେବେ ମୁଖ୍ୟ କଥା ହେଉଛି ଏଥିରେ ଶିଶୁ ଓ ଯୁବକ ଏତେ ମାତ୍ରାରେ ପ୍ରଭାବିତ ହୋଇନପାରନ୍ତି । ଯୁବକ ଓ ମଧ୍ୟ ବୟସ୍କ ଲୋକେ ପ୍ରଥମ ଓ ଦ୍ୱିତୀୟ ଲହରେ ଆକ୍ରାନ୍ତ ହୋଇଛନ୍ତି । ଆଣ୍ଟିବଡି ସୃଷ୍ଟି ହୋଇଥିବାରୁ ସେମାନେ ଆକ୍ରାନ୍ତ ହେବା ଆଶଙ୍କା କମ୍ ରହିଛି । ସେହିଭଳି ଶିଶୁ ବି ଏତେ ପ୍ରଭାବିତ ହେବେନି ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ । WHO-AIIMS ଟିମ୍ ପକ୍ଷରୁ ହୋଇଥିବା ସର୍ଭେରେ ଏହି ତଥ୍ୟ ଆସିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Other Stories