ଦେଶରେ କରୋନାରୁ ମିଳୁଛି ମୁକ୍ତି : ଦିନକରେ ୧.୫୨ ସଂକ୍ରମିତ, ୩,୧୨୮ ମୃତ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ନୟାନ୍ତ କଲା ପରେ ଏବେ ଏଥିରେ କିଛିମାତ୍ରାରେ ଶିଥିଳତା ପଡିଥିବା ଦେଖିବାକୁ ମିଳୁଛି। ପ୍ରତିଦିନ କରୋନା ସଂକ୍ରମଣରେ ହ୍ରାସ କାରଣରୁ ଲୋକଙ୍କ ମନରେ ଆଶ୍ୱସନା ସୃଷ୍ଟି କରୁଛି। ତେବେ କରୋନା ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ଏବେ ବି ସେଭଳି ହ୍ରାସ ପାଇ ନାହିଁ ଯେଭଳି ସଂକ୍ରମିତଙ୍କ ସଂଖ୍ୟା ଦେଖାଯାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୫୨ ହଜାର ୭୩୪ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି, ଯେତେବେଳେ କି ୩ ହଜାର ୧୨୮ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ପୂର୍ବଦିନ କରୋନାରୁ ୨ ଲକ୍ଷ ୩୮ ହଜାର ଲୋକ ମଧ୍ୟ ଉଦ୍ଧାର ହୋଇଛନ୍ତି। ନୂତନ କରୋନା ମାମଲା ଆସିବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୨ କୋଟି ୮୦ ଲକ୍ଷ ୪୭ ହଜାର ୫୩୪କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାଜନିତ ୨୦ ଲକ୍ଷ ୨୬ ହଜାର ୯୨ ସକ୍ରିୟ ମାମଲା ଥିବାବେଳେ ୨ କୋଟି ୫୬ ଲକ୍ଷ ୯୨ ହଜାର ୩୪୨ ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାରେ ୩ ଲକ୍ଷ ୨୯ ହଜାର ୧୦୦ ଲୋକଙ୍କର ମୃତ୍ୟୁ ହୋଇଛି। କରୋନାରେ ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରକୁ ମଧ୍ୟ ସଂକ୍ରମଣରୁ କିଛି ମାତ୍ରାରେ ମୁକ୍ତି ମିଳିଛି।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ଅତି କମରେ ୧୮,୬୦୦ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୪୦୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ନୂତନ ମାମଲା ଆସିବା ପରେ ରାଜ୍ୟରେ ମୋଟ ମାମଲା ୫୭,୩୧,୮୧୫କୁ ବୃଦ୍ଧି ପାଇଛି ଏବଂ କରୋନାଜନିତ ୯୪,୮୪୪ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ସେହିପରି ରବିବାର ଦିଲ୍ଲୀରେ ୯୪୬ ଜଣ କରୋନା ପଜିଟିଭ୍ ମିଳିଥିବା ସୂଚନା ରହିଛି। ୧,୮୦୩ ଜଣ ସୁସ୍ଥ ହୋଇଥିବା ବେଳେ ୭୮ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୧୪.୨୫ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୧୩.୮୯ ଲକ୍ଷ ଆକ୍ରାନ୍ତ ଆରୋଗ୍ୟ ହୋଇଥିବାବେଳେ ୧୪,୧୫୧ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏଠାରେ ୧୨,୧୦୦ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି।

ସେହିପରି ମଧ୍ୟପ୍ରଦେଶରେ ଗୋଟିଏ ଦିନରେ ୧,୪୭୬ଟି ନୂଆ କରୋନା ମାମଲା ଆସିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୭୮,୮୨୫5 ରେ ପହଞ୍ଚିଛି। ଗତ ୨୪ଘଣ୍ଟା ମଧ୍ୟରେ କରୋନାରେ ୬୦ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଏହି ରୋଗରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୮,୦୧୯ରେ ପହଞ୍ଚିଛି। ସେହିପରି ରାଜସ୍ଥାନରେ ୨୨୯୮ ନୂଆ ମାମଲା ଆସିଥିବା ବେଳେ ୯୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ୯,୬୩୬ ସଂକ୍ରମିତ ଆରୋଗ୍ୟ ହୋଇଥିବା ବେଳେ ୪୯,୨୨୪ ଆକ୍ରାନ୍ତ୍ ଚିକିତ୍ସାଧିନ ଅଛନ୍ତି।

ତେବେ କରୋନାଜନିତ ମୃତ୍ୟୁ ମାମଲାରେ ଭାରତ ସାରା ଦୁନିଆରେ ତୃତୀୟ ସ୍ଥାନରେ ଥିବାବେଳେ ଆମେରିକା ସର୍ବପ୍ରଥମ ରହିଛି। ଆକ୍ଟିଭ୍ କେସ୍‌ରେ ଭାରତ ସାରା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଦେଶରେ କରୋନାଜନିତ ମୃତ୍ୟୁ ହାର ୧.୧୬ ପ୍ରତିଶତ ଥିବାବେଳେ ଆରୋଗ୍ୟ ହାର ୯୦ ପ୍ରତିଶତରୁ ଅଧିକ ଓ ଆକ୍ଟିଭ୍ କେସ୍ ପାଖାପାଖି ୮ ପ୍ରତିଶତରୁ କମ ରହିଛି।

You might also like