କମୁନି ସଂକ୍ରମଣ; ଆଜି ଦେଶରେ ପଜିଟିଭ ସଂଖ୍ୟା ୪ ଲକ୍ଷ ଉପରେ

ନୂଆଦିଲ୍ଲୀ:ଦେଶରେ କରୋନା ତା’ର ସ୍ଥିତି ପୂର୍ବପରି ଜାହିର ରଖିଛି । ସଂକ୍ରମଣ ହାର କେତେକ ରାଜ୍ୟରେ ସାମାନ୍ୟ ହ୍ରାସ ପାଇବା ପରି ମନେ ହେଉଥିଲେ ହେଁ ମୋଟ ସଂଖ୍ୟାରେ କୌଣସି ପରିବର୍ତ୍ତନର ସୂଚନା ନାହିଁ । ସଂକ୍ରମଣ ହାର ଦେଖି ଏବେ ବି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଦେଶରେ ଏବେ ତିନି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୪, ୧୪,୧୮୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୩,୯୨୦ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାଥାଉ କି, ଗତକାଲି ଦେଶରେ ମୃତକଙ୍କ ସଂଖ୍ୟା ଥିଲା ୩,୯୮୦ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୪ ଲକ୍ଷ ୧୨ ହଜାର ୨୬୨ ।

ଆଜିର ସଂଖ୍ୟାକୁ ମିଶାଇଲେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨, ୧୪,୯୧,୫୯୨ରେ ପହଞ୍ଚିଛି । ଏପଟେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨,୩୪,୦୮୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୨୮, ୧୪୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଦେଶରେ କରୋନା ବର୍ତ୍ତମାନ ସୁଦ୍ଧା ୧,୭୨,୮୦,୮୪୪ ଜଣ କରୋନାକୁ ମାତ୍‌ ଦେଇଛନ୍ତି । ଯାହା ବି ହେଉ, ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍‌ ୩୫,୬୬,୩୯୮ ରହିଛି । ଆଜିର ପଜିଟିଭିଟି ରେଟ୍‌୍ ୨୧.୪୩% ଅଟେ ।

ଏବେ ସୁଦ୍ଧା ଦେଶରେ ୧୬,୨୫,୧୩,୩୩୯ ଡୋଜ୍ ଭାକ୍ସିନ ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯, ୫୫, ୭୩୩ ଡୋଜ ଭାକ୍ସିନ ଦିଆଯାଇଛି ।

କେନ୍ଦ୍ର ସରକାର ଇତି ମଧ୍ୟରେ କରୋନାର ତୃତୀୟ ଲହର ପାଇଁ ସଚେତନ କରାଇ ଦେଇଛନ୍ତି । ତେବେ ଏହି ତୃତୀୟ ଲହର କେବେ ଆସିବ ତାହାର ପୂର୍ବାନୁମାନ କରାଯାଇ ନାହିଁ ।
ସରକାରୀ ସୂତ୍ରରୁ ଜଣଯାଇଛି, କର୍ଣ୍ଣାଟକ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ବିହାର ଆଦି ରାଜ୍ୟରେ କରୋନା ହାର ବଢିବାରେ ଲାଗିଛି । ୧୩ ରାଜ୍ୟ ଏବଂ ଦିଲ୍ଲୀ ସମେତ କେତେକ କେନ୍ଦ୍ର ଶାସିତ ପ୍ରଦେଶଗୁଡିକରେ ସଂକ୍ରମଣ ହାର ୨୧ପ୍ରତିଶତରୁ ଅଧିକ ରହିଛି ।
ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି, ଗୋଆରେ କରୋନା ସ୍ଥିତି ବିଗୁଡୁଛି ।

ଏଠାରେ ଏପ୍ରିଲ ୨୧ରୁ ମେ’ ୪ ସୁଦ୍ଧା ଗୋଆରେ ପଜିଟିଭିଟି ରେଟ ୪୧ ପ୍ରତିଶତ ଉପରେ ରହିଛି । ସେହିପରି ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ନିୟମିତ ବଢିବାରେ ଲାଗିଛି । ଏପ୍ରିଲ ୨୧ରୁ ମେ’ ୪ ସୁଦ୍ଧା ସଂକ୍ରମଣ ହାର ୩୨ ପ୍ରତିଶତରେ ପହଞ୍ଚିଛି । ଗୋଆ, ଦିଲ୍ଲୀ ପରେ ସବୁଠାରୁ ସଂକ୍ରମିତ ରାଜ୍ୟ ହେଉଛି ପଶ୍ଚିମବଙ୍ଗ । ଏଠାରେ ଏପ୍ରିଲ ୨୧ରୁ ମେ’ ୪ ସୁଦ୍ଧା ସଂକ୍ରମଣ ହାର ୩୦ ପ୍ରତିଶତ ରହିଛି ।

You might also like