ଦେଶରେ କରୋନା ସଂକ୍ରମଣ କମୁଛି; ମୃତ୍ୟୁ ହାର ଏବେ ବି ୩ ହଜାର ଉପରେ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ଵିତୀୟ ଲହର ପ୍ରଭାବ ଆସ୍ତେ ଅସ୍ତେ କମୁ୍‌ଥିବା ଲକ୍ଷ୍ୟ କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ହେଲେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୭୩ ହଜାର ୭୯୦ ନୂଆ ମାମଲା ସାମ୍ନାକୁ ଆସିଛି । ହେଲେ ଏହି ସମୟ ମଧ୍ୟରେ ୩୬୧୭ ରୋଗୀଙ୍କ ଜୀବନ ନେଇଛି କରୋନା । ଆଜିର ସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୭୭ ଲକ୍ଷ ୨୯ ହଜାର ୨୪୭କୁ ଛୁଇଁଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ,ବର୍ତ୍ତମାନ ଦେଶରେ ଆକ୍ଟିଭ କେସ ଅଛି ୨୨ ଲକ୍ଷ ୨୮ ହଜାର ୭୩୪ । ଏହି ସମୟ ମଧ୍ୟରେ ୨ କୋଟି ୫୧ ଲକ୍ଷ ୭୮ ହଜାର ୦୧୧ ଲୋକ କରୋନାରୁ ସୁସ୍ଥ ହୋଇ ଫେରିଥିବାବେଳେ ୩ ଲକ୍ଷ ୨୨ ହଜାର ୫୧୨ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ଇତି ମଧ୍ୟରେ କରୋନାରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ମଧ୍ୟ କରୋନା ପ୍ରଭାବ କମିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ରାଜ୍ୟରେ କୋଭିଡ-୧୯ରେ ୨୦ ହଜାର ୭୪୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ ମୋଟ ସଂକ୍ରମଣ ୫୬,୯୨,୯୨୦ ଛୁଇଁଛି । ୨୪ଘଣ୍ଟା ମଧ୍ୟରେ ୪୨୪ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ମହାମାରୀରେ ୯୩ ହଜାର ୧୯୮ ଜଣ ପ୍ରାଣ ହାରିଛନ୍ତି ।

ଦିଲ୍ଲୀରେ ମଧ୍ୟ ସ୍ଥିତିରେ ସୁଧାର ଆସିଛି । ଜୁନ ମାସରୁ ଏଠାରେ ନିର୍ମାଣ କାର୍ଯ୍ୟ ଏବଂ ଫ୍ୟାକ୍ଟ୍ରି କାମ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ରାଜଧାନୀ ଦିଲ୍ଲୀରେ ଦୁଇ ମାସ ମଧ୍ୟରେ ସବୁଠାରୁ କମ୍‌ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୧୧୪୧ ମାମଲା ସାମ୍ନାକୁ ଆସିଥିବାବେଳେ ୧୩୯ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀରେ ଆକ୍ଟିଭ ସଂଖ୍ୟା ୧୫, ୦୦୦ରୁ କମ୍‌ ଥିବାବେଳେ ଏଠାରେ ରିକଭରି ରେଟ ୯୭.୨୯% ଥିବାବେଳେ ଆକ୍ଟିଭ କେସ ୧.୦୨ ରହିଛି ।

ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ସମେତ ୧୦ରୁ ଅଧିକ ରାଜ୍ୟରେ ୧ ମାସରୁ ଅଧିକ ଦିନ ହେବ ଲକଡାଉନ ଲାଗୁ କରାଯାଇଛି । ୟୁପି ସମେତ ଅନେକ ରାଜ୍ୟ ଜୁନ୍‌ ୧ରୁ ଲକ୍‌ ଡାଉନ ଲାଗୁ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ତେବେ ପଞ୍ଜାବ, ରାଜସ୍ଥାନ ସମେତ କେତେକ ରାଜ୍ୟରେ କରୋନା କଟକଣାକୁ ଜୁନ୍‌ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ।

You might also like