୨୦୩୦ ସୁଦ୍ଧା ଅନାହାର ଶେଷ କରିବା ଲକ୍ଷ୍ୟକୁ ଦିଶାହୀନ କରିପାରେ କରୋନା: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, କରୋନା ମହାମାରୀ ଯୋଗୁଁ ଖାଦ୍ୟ ସୁରକ୍ଷା ନୀତି ଢ଼େର ପ୍ରଭାବିତ ହୋଇଛି। ପ୍ରତ୍ୟେକ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ପ୍ରଭାବିତ ହୋଇଛି। ଏହାସହ ୨୦୩୦ ସୁଦ୍ଧା ଅନାହାରରେ କେହି ରହିବେ ନାହିଁ ବୋଲି ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି।

‘ଜନସଂଖ୍ୟା, ଖାଦ୍ୟ ସୁରକ୍ଷା, ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ ନିରନ୍ତର ବିକାଶ’ ପ୍ରସଙ୍ଗରେ ୫୪ତମ ଜନସଂଖ୍ୟା ଏବଂ ବିକାଶ ଆୟୋଗକୁ ସମ୍ବୋଧିତ କରି ହର୍ଷବର୍ଦ୍ଧନ ସୋମବାର କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ଉପରେ ଭାରତ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଗତ କିଛି ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନେକ ପଦକ୍ଷେପ ଏବଂ ଆରମ୍ଭ ହୋଇବା ଯୋଜନା ଏହାର ପ୍ରମାଣ ।

ହର୍ଷବର୍ଦ୍ଧନ କହିଛନ୍ତି, ‘ଜନସଂଖ୍ୟା, ଖାଦ୍ୟ ନିରାପତ୍ତା, ପୁଷ୍ଟିକର ଖାଦ୍ୟ ଏବଂ ନିରନ୍ତର ବିକାଶର ବିଷୟ ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିଥାଏ। କିନ୍ତୁ ସାମ୍ପ୍ରତିକ ସମୟରେ ଏହାର ଗୁରୁତ୍ୱ ଅଧିକ ବଢ଼ିଯାଇଛି। କାରଣ କୋଭିଡ-୧୯ ଯୋଗୁଁ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜର ମୁକାବିଲା କରି ସମ୍ପୂର୍ଣ୍ଣ ବିଶ୍ୱ ପୁନଃନିର୍ମାଣ ପାଇଁ ସଂଘର୍ଷ କରୁଛି।

ସେ କହିଛନ୍ତି, ‘ଏହି ମହାମାରୀ କୋଭିଡ -୧୯ ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା ଏବଂ ଖାଦ୍ୟ ସୁରକ୍ଷା ନୀତିକୁ ଭୟଙ୍କର ଭାବେ ପ୍ରଭାବିତ କରିଛି। ଏହାସହ ୨୦୩୦ ମଧ୍ୟରେ ଅନାହାର ଶେଷ ହେବାର ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାକୁ ମଧ୍ୟ ଦିଶାହୀନ କରିବାର ସମ୍ଭାବନା ରହିଛି। ଏହି ଦିଗରେ ଯେତିକି ଅଗ୍ରଗତି ହୋଇଛି ତାହା ପୁଣି ପଛକୁ ଫେରି ଆସିବନି ବୋଲି କୁହାଯାଇନପାରେ।

ୟୁଏସ୍ ଉପମହାସଚିବ ଅମିନା ମହମ୍ମଦ କହିଛନ୍ତି ଯେ, କରୋନା ମହାମାରୀ ଲୋକଙ୍କଠାରୁ ଜୀବିକା ଛଡ଼ାଇ ନେଇଛି। ଅନ୍ୟାୟ ଏବଂ ଅସମାନତାକୁ ବଢ଼ାଇ ଦେଇଛି। ଖାଲି ସେତିକି ନୁହେଁ ଦଶନ୍ଧି ଦଶନ୍ଧି ଧରି ଉଦ୍ୟମ ପରେ ହାସଲ ହୋଇଥିବା ବିକାଶ ପ୍ରକ୍ରିୟାକୁ ମଧ୍ୟ ଏହା ବିପଦରେ ପକାଇଛି।

ହର୍ଷବର୍ଦ୍ଧନ କହିଛନ୍ତି ଯେ କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ, ଭାରତ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇବା କାର୍ଯ୍ୟ ଯେଭଳି ପ୍ରଭାବିତ ନହୁଏ ସେ ଦିଗରେ କାର୍ଯ୍ୟ କରୁଛନ୍ତି। ସେଥିପାଇଁ ଚାଷୀ, ଦିନ ମଜୁରିଆ, ମହିଳା, ସ୍ୱୟଂ ସହାୟକ ଗୋଷ୍ଠି ଏବଂ ଗରିବ ବରିଷ୍ଠ ନାଗରିକଙ୍କୁ ଯଥା ସମ୍ଭବ ସହଯୋଗ ପହଞ୍ଚାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ସରକାର। ଖାଲି ସେତିକି ନୁହେଁ ଭାରତ ସରକାରଙ୍କ ଦ୍ୱାରା ଦିଆଯାଉଥିବା ରିଲିଫ୍ ପ୍ୟାକେଜ୍ ଏବଂ ସରକାରଙ୍କ ଅନ୍ୟାନ୍ୟ ସହାୟତା କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଏହି ଆଲୋଚନା ବେଳେ କହିଛନ୍ତି ହର୍ଷବର୍ଦ୍ଧନ।

You might also like