ଏହି ୩ ରାଜ୍ୟରେ ଠାବ ହେଲା କରୋନାର ୨ ନୂଆ ଷ୍ଟ୍ରେନ୍‌

ନୂଆଦିଲ୍ଲୀ: ଭାରତର ତିନି ରାଜ୍ୟ ମହାରାଷ୍ଟ୍ର, ତେଲେଙ୍ଗନା ଏବଂ କେରଳରେ କୋଭିଡ-୧୯ର ଦୁଇଟି ନୂଆ ଷ୍ଟ୍ରେନ୍‌ ଠାବ ହୋଇଛି। ତେବେ ମହାରାଷ୍ଟ୍ର ଏବଂ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିର କାରଣ ଯେ ଏହି ନୂଆ ଷ୍ଟ୍ରେନ ତାହାର କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଏହି ଦୁଇ ନୂଆ ଭାରିଏଣ୍ଟର ନାମ N440K ଏବଂ E484K। E484K ଏମିତି ଭାଇରସ ଯାହାକୁ ଶରୀରର ଇମ୍ୟୁନ ରେସ୍‌ପନ୍ସ ନଷ୍ଟ କରିବାରେ ବିଫଳ ହୋଇଛି। ସେହିପରି N440K ଭାଇରସ ଖୁବ୍‌ ଶୀଘ୍ର ସଂକ୍ରମିତ ହୋଇ ଯାଉଛି।

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଗତ ୯ ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ବିଶେଷ କରି ମହାରାଷ୍ଟ୍ର ଏବଂ କେରଳରେ ଯେପରି ଦ୍ରୁତ ଗତିରେ ଏହା ବଢି ଚାଲିଛି ତାହା ସମସ୍ତଙ୍କ ନିଦ ହଜେଇ ଦେଇଛି। ସେହିପରି କୋଭିଡ ମୃତ୍ୟୁ ସଂଖ୍ୟା ତିନି ଦିନ ଧରି ୧୦୦ରୁ କମ୍‌ ଥିବାବେଳେ ମଙ୍ଗଳବାର ୧୦୦ ପାର କରିଯାଇଛି।

ଗତ ଏକ ସପ୍ତାହ ଧରି କରୋନା ସଂକ୍ରମଣ ତାଲିକାକୁ ଦେଖିଲେ ଜଣାପଡ଼େ ଦ୍ରୁତ ଗତିରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି। ୭ ଦିନରେ ବୃଦ୍ଧିହାର୧୮୦୦ ରହିଛି।  ଫେବ୍ରୁଆରୀ ୧୪ ତାରିଖ ସଂକ୍ରମିତଙ୍କ ସଂଖ୍ୟା ୧୧, ୪୩୦ ଥିବାବେଳେ ମଙ୍ଗଳବାର ୧୩, ୨୬୭ ଥିଲା। ୨୦୨୦ ସେପ୍ଟେମ୍ବର ୨୦ ପରେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ଏପରି ହାରରେ ବଢୁଥିଲା।  ହେଲେ ୧୯ରୁ ୨୪ ନଭେମ୍ବର ମଧ୍ୟରେ ୬ଦିନ ବ୍ୟବଧାନରେ ବୃଦ୍ଧିହାର ଏତିକି ରହୁଥିଲା।

ବର୍ତ୍ତମାନର ଅପ୍‌ଡେଟ ଖବର ଅନୁସାରେ, ମଙ୍ଗଳବାର ଅତିକମ୍‌ରେ ୧୩, ୫୭୬ ନୂଆ ମାମଲା ସାମ୍ନାକୁ ଆସିଛି। ତେବେ ଏଥିରେ ତେଲେଙ୍ଗାନା ଏବଂ ଆସାମ ସଂଖ୍ୟା ସାମିଲ ହୋଇନାହିଁ। ତେଲେଙ୍ଗାନା ସୂଚନାଥାଉ କି,  ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଜାରି କରିବାକୁ ମନା କରିଦେଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ରରୁ ମିଳିଥିବା ସୂଚନା ଅନୁସାରେ ଏଠାରେ ୨୪ ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ୬, ୨୧୮ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି କେରଳ। ଏଠାରେ ୨୪ ଘଣ୍ଟା ମଧ୍ୟରେ ୪,୦୩୪ ନୂଆ ମାମଲା ସାମ୍ନାକୁ ଆସିଛି। ଏହି ଦୁଇ ରାଜ୍ୟକୁ ମିଶାଇଲେ ଏଠାରେ ଦେଶର ୨୪ ପ୍ରତିଶତରୁ ଅଧିକ କେସ ଥିବା ଜଣାପଡ଼ିଛି।

ସେହପରି ପଞ୍ଜାବରେ ୪୨୬ ନୂଆ ମାମଲା ସାମ୍ନାକୁ ଆସିଛି ଯାହା ଗତ ୨ ମାସ ମଧ୍ୟରେ ସର୍ବାଧିକ । ଗୁଜରାଟରେ ମଧ୍ୟ କରୋନା କେସ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷେ ମଙ୍ଗଳବାର କରୋନାରେ ୧୦୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ  ୫୧ ରୋଗୀ ମହରାଷ୍ଟ୍ରର।

ନୀତି ଆୟୋଗ ସଦସ୍ୟ ଡା.ଭିକେ ପଲ ଭାରତର ତିନୋଟି ରାଜ୍ୟରୁ ଦୁଇ ନୂଆ ଷ୍ଟ୍ରେନ ମିଳିଥିବା ସୂଚନା ଦେଇଛନ୍ତି। ତାଙ୍କର କହିବା ଅନୁଯାୟୀ, ଏହି ଦୁଇ ନୂଆ ଷ୍ଟ୍ରେନ୍‌ ପୂର୍ବରୁ ସାମ୍ନାକୁ ଆସିଥିଲା। E484K ମାର୍ଚ୍ଚ ଏବଂ ଜୁଲାଇରେ ଠାବ କରାଯାଇଥିଲା କିନ୍ତୁ ସେତେବେଳେ ଏହାର ପ୍ରଭାବ ନ ଥିବା ପଲ କହିଛନ୍ତି।

ତେବେ ଏହା ଉପରେ ଅଧିକ ତଥ୍ୟ ହାସଲ ପାଇଁ ଗବେଷଣା ଚାଲିଛି। ଡା.ପଲ ଏକଥା ମଧ୍ୟ କହିଛନ୍ତି, ଦେଶରେ ୧୮୭ ନୂଆ ଷ୍ଟ୍ରେନ୍‌ ମିଳିଛି। ଏଥିମଧ୍ୟରୁ ସାଉଥ ଆଫ୍ରିକାନ ଭାରିଏଣ୍ଟ ୬ ଜଣଙ୍କ ପାଖରେ ମିଳିଥିଲା। ଗୋଟିଏ କେସ୍‌ରେ ବ୍ରାଜିଲ ଭାରିଏଣ୍ଟ ଥିବା ଜଣାପଡ଼ିଥିଲା।

ତେବେ ଦେଶରେ ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ ତଥା ଜମ୍ମୁକଶ୍ମୀରରେ କରୋନା ସଂକ୍ରମଣ ବଢୁଥିବାରୁ ଏଠାରେ ୱାର୍ଣ୍ଣିଂ ସିଗ୍‌ନାଲ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ କହିବା ଅନୁଯାୟୀ, ସଂକ୍ରମଣ କାହିଁକି ବଢୁଛି ତାହାର କାରଣ ଜାଣିବା ପାଇଁ ଏକ ଏକ୍ସପର୍ଟ ଟିମ୍‌ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି।
You might also like