ଚୀନକୁ ଫେରୁଛି କରୋନା !

ବେଜିଂ: କରୋନା ଭାଇରସର ଉତ୍ପତିସ୍ଥଳ ଚାଇନା । ହେଲେ ଏହି ଭାଇରସ ଆଜି ବିଶ୍ୱରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରୁଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଚୀନର ଉହାନରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି।  ଉହାନ ସହରରୁ ଲକଡାଉନ ହଟିଛି । ଜୀବନଯାତ୍ରା ସ୍ୱାଭାବିକ ହୋଇଛି । ହେଲେ ପୁଣି ଖବର ମିଳିଛି, ଚାଇନାକୁ ଫେରିଛି କରୋନା ଭାଇରସ । ଆଉ ଏହାର କାରଣ ହେଉଛି ଚୀନକୁ ଆସୁଥିବା ବିଦେଶୀ ନାଗରିକ।

ଚୀନରେ ୪୦ଟି ନୂଆ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଥିବାବେଳେ ୧୦ଟି ମାମଲା ସ୍ଥାନୀୟ ସଂକ୍ରମଣରୁ ହୋଇଥିବା ଜଣାଯାଇଛି । ତେଣୁ ବିଦେଶରୁ ଆସୁଥିବା ଲୋକ ଆଗାମୀ ଦିନରେ ପୁଣି ଚୀନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବେ ବୋଲି କୁହାଯାଉଛି । ଯଦି ଏହାକୁ ରୋକା ନ ଯାଏ ତେବେ ଋଷ ସୀମା ସହ ଲାଗିଥିବା ଚୀନର ପୂର୍ବୋତ୍ତର ସୀମାନ୍ତ ସହର ଆଉ ଏକ ଉହାନ ରୂପ ନେଇପାରେ ବୋଲି ସ୍ୱାସ୍ଥ୍ୟ  ବିଶଷେଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି ।
ବୁଧବାର ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ପକ୍ଷରୁ କୁହାଯାଇଛି, ଏହି ୪୦ ନୂଆ ମାମଲାରୁ ଅଧିକ ବିଦେଶରୁ ଫେରିଥିବା ଚୀନ୍ ନାଗରିକ । ଏହି ସଂଖ୍ୟାକୁ ମିଶାଇଲେ ମଙ୍ଗଳବାର ସୁଦ୍ଧା ଚୀନରେ ୧୫୦୦ ନୂଆ ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଚୀନ-ଋଷ ସୀମାନ୍ତ ସୁଇଫନେହ ଏକ ନୂଆ ଉହାନ ହେବାକୁ ଯାଉଛି । କାରଣ ଋଷରୁ ଆସୁଥିବା ଅଧିକରୁ ଅଧିକ ଲୋକ କୋଭିଡ-୧୯ ସଂକ୍ରମିତ ବୋଲି ଜଣାପଡ଼ିଛି ।
୫୭ ଲୋକ ବିନା ଲକ୍ଷଣରେ କୋଭିଡ ୧୯ ସଂକ୍ରମିତ ହୋଇଥିବା ଜଣାଯାଇଛି । ସାରା ଦେଶରେ ବତ୍ତମାନ ସୁଦ୍ଧା ୧୦୨୩ ଲୋକଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନଙ୍କର କୋଭିଡ ୧୯ ଲକ୍ଷଣ ଦେଖିବାକୁ ମିଳି ନଥିଲା । ସେମାନଙ୍କର ଜର, କାଶ ବା ଗଳା ଯନ୍ତ୍ରଣା ପରି ଲକ୍ଷଣ ନ ଥିଲା । ହେଲେ ନମୁନା ପରୀକ୍ଷାରୁ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା ।
ଇତିମଧ୍ୟରେ ହୁବେଇ ପ୍ରାନ୍ତରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ପରେ ଚୀନରେ ମୃତକଙ୍କ ସଂଖ୍ୟା ୩,୩୪୨ରେ ପହଞ୍ଚିଛି । ଦେଶରେ ୮୨,୨୯୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩,୩୪୨ଙ୍କର ମୃତ୍ୟୁ ଘଟିଛି । ୧, ୯୧, ୧୩୭ଙ୍କ ଚିକିତ୍ସାଧୀନ ଅଛନ୍ତି ।୭୭,୮୧୬ ସୁସ୍ଥ ହୋଇ ଫେରିଛନ୍ତି ।

You might also like