ନୂଆଦିଲ୍ଲୀ : ଡିସିଜିଆଇକୁ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଦେଇଛି ଭାରତ ବାୟୋଟେକ୍। ରିପୋର୍ଟ ଅନୁସାରେ କୋଭାକ୍ସିନ ୭୭.୮ ପ୍ରତିଶତ ଫଳପ୍ରଦ ହେଉଛି। କରୋନା ଭୂତାଣୁ କୋଭିଡ-୧୯ ବିରୋଧରେ ଏହା ୭୭ ପ୍ରତିଶତ କାମ କରୁଥିବା ଭାରତ ବାୟୋଟେକ୍ କହିଛି। ତେବେ ଏକ୍ସପର୍ଟ ପ୍ୟାନେଲ କମିଟି ଅନୁଧ୍ୟାନ କରିଥିଲେ ବି ଏଯାଏ ଏହାର ମନ୍ତବ୍ୟ ଜଣାଇ ନାହିଁ । ଅପରାହ୍ଣରେ ପ୍ୟାନେଲର ବୈଠକ ବସିଥିଲା । ଏଥିରେ ଭାରତ ବାୟୋଟେକର ରିପୋର୍ଟ ସମୀକ୍ଷା କରାଯାଇଥିଲା। ପ୍ୟାନେଲ ଏବେ ଏହାର ସମୀକ୍ଷା ରିପୋର୍ଟ ଡିସିଜିଆଇକୁ ପ୍ରଦାନ କରିବ। ଡିସିଜିଆଇ ଟିକାର ଫେଜ୍- ଥ୍ରୀ ତଥ୍ୟର ଅନୁଧ୍ୟାନ କରିବେ। ୨୫,୮୦୦ ଲୋକଙ୍କ ଉପରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା କରାଯାଇଥିଲା। ଏହି ସମୀକ୍ଷାରେ ଦେଖାଗଲା ଯେ ଏହି ଟିକା କରୋନାରୁ କେତେ ମାତ୍ରାରେ ରକ୍ଷା କରେ।

କୋଭିଡ୍‌ ଟିକା ପାଇଁ ଭାରତ ବାୟୋଟେକର ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ (EOI) ପ୍ରସ୍ତାବକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗ୍ରହଣ କରିଛି ଏବଂ ଟିକା ଅନୁମୋଦନ ସମ୍ବନ୍ଧରେ ଡକ୍ୟୁମେଣ୍ଟ ହସ୍ତାନ୍ତର ହେବା ପୂର୍ବରୁ ୨୩ ଜୁନରେ WHO ସହିତ ଏକ ବୈଠକ ଅନୁଷ୍ଠିତ ହେବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଏହି ବୈଠକରେ ଉତ୍ପାଦର ସବିଶେଷ ସମୀକ୍ଷା କରାଯିବ ନାହିଁ, କିନ୍ତୁ ଟିକା ଉତ୍ପାଦନକାରୀଙ୍କ ନିକଟରେ ଟିକାର ଗୁଣକୁ ନେଇ ସଂକ୍ଷିପ୍ତ ବର୍ଣ୍ଣନା ଉପସ୍ଥାପନ କରିବାର ସୁଯୋଗ ମିଳିବ।

ଗତ ମାସରେ ଭାରତ ବାୟୋଟେକ କହିଥିଲା ଯେ ଜୁଲାଇ-ସେପ୍ଟେମ୍ବର ସୁଦ୍ଧା ଏହାର ଟିକା ବ୍ୟବହାର ପାଇଁ WHOରୁ ଅନୁମୋଦନ ମିଳିବ। WHO ଗାଇଡ୍‌ଲାଇନ୍‌ ଅନୁଯାୟୀ, ଜରୁରୀକାଳୀନ ବ୍ୟବହାର ତାଲିକା (EUL) ହେଉଛି ଏକ ପ୍ରକ୍ରିୟା ଯାହା ଦ୍ୱାରା ନୂତନ କିମ୍ବା ଲାଇସେନ୍ସପ୍ରାପ୍ତ ଉତ୍ପାଦଗୁଡିକ ଜନସ୍ୱାସ୍ଥ୍ୟ ସଙ୍କଟ ସମୟରେ ବ୍ୟବହାର ପାଇଁ ଅନୁମୋଦିତ।

ପ୍ରକାଶଥାଉ କି ଭାରତ-ବାୟୋଟେକ୍ ବର୍ତ୍ତମାନ ଏହାର ଟିକା ଉତ୍ପାଦନ ବୃଦ୍ଧିରେ ନିୟୋଜିତ ଅଛି । ଚଳିତ ବର୍ଷର ଶେଷ ୩ ମାସ ପର୍ଯ୍ୟନ୍ତ କମ୍ପାନୀ ପ୍ରତିବର୍ଷ ୧୦୦ କୋଟି ଡୋଜ ଉତ୍ପାଦନ ବୃଦ୍ଧି କରିବାକୁ କାମ କରୁଛି। ନିକଟରେ ଗୁଜୁରାଟର ଆଙ୍କଲେଶ୍ୱରରେ ଅବସ୍ଥିତ ଚିରନ୍ ବେହେରିଙ୍ଗ ଭ୍ୟାକ୍ସିନ୍ ପ୍ରାଇଭେଟ୍‌ ଲିମିଟେଡ୍‌ରେ କମ୍ପାନୀ ୨୦୦ ମିଲିୟନ୍ ଡୋଜ୍‌ ମଧ୍ୟ କରିବ ବୋଲି ସୂଚନା ଦିଆଯାଇଥିଲା। ଏହା ଭାରତ ବାୟୋଟେକ୍ ମାଲିକାନାରେ ଥିବା ଏକ କମ୍ପାନୀ।

ଏହାପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ମେ-ଜୁନ୍ ମାସରେ ସ୍ୱଦେଶୀ ଟିକା କୋଭାକ୍ସିନ୍ ଉତ୍ପାଦନ ଦ୍ୱିଗୁଣିତ ହେବ। ଉତ୍ପାଦନ ଦ୍ରୁତ ଗତିରେ ବୃଦ୍ଧି କରାଯାଉଛି। ସେପ୍ଟେମ୍ବର ସୁଦ୍ଧା ପ୍ରତି ମାସରେ ୧୦୦ ନିୟୁତ ଟିକା ଡୋଜ୍‌ ଉତ୍ପାଦନ କରାଯିବ। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆତ୍ମନିର୍ଭରଶୀଳ ଭାରତ ମିଶନ୍ ୩.0 ଅଧୀନରେ ସ୍ୱଦେଶୀ ଟିକାକୁ ପ୍ରୋତ୍ସାହିତ କରାଯିବ।

Other Stories