୮୧ ପ୍ରତିଶତ ଫଳପ୍ରଦ ହେଉଛି କୋଭାକ୍ସିନ

ନୂଆଦିଲ୍ଲୀ: କରୋନା ମୁକାବିଲା କ୍ଷେତ୍ରରେ ୮୧ ପ୍ରତିଶତ ଫଳପ୍ରଦ ହେଉଛି ଭାରତର ଦେଶୀ ଟିକା କୋଭାକ୍ସିନ। ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ ବେଳେ ଟିକାର ଏଭଳି ସଫଳତା ବାବଦ ତଥ୍ୟ ସାମ୍ନାକୁ ଆସିଥିବା ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି। ICMRର ସହଯୋଗରେ ୨୫ ହଜାର ୮୦୦ ଜଣଙ୍କ ଠାରେ ଟିକାର ଥାର୍ଡ ଫେଜ୍ ପରୀକ୍ଷଣ ହୋଇଥିଲା। ଭାରତ ବାୟୋଟେକର ଏହି ଟିକା ୮୧ ପ୍ରତିଶତ ଫଳପ୍ରଦ ଥିବା ନେଇ ଏହି ପରୀକ୍ଷାରୁ ଜଣାପଡ଼ିଛି।

ଟିକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହେଉଛି ଯେ, ୟୁକେ ଷ୍ଟ୍ରେନ୍ ବିରୋଧରେ ମଧ୍ୟ ଏହା ସଫଳତାର ସହ କାମ କରୁଛି। ନାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜି ପକ୍ଷରୁ ଅନୁଧ୍ୟାନ ପରେ ଟିକାର ଫଳପ୍ରଦତା ନେଇ ତଥ୍ୟ ସାମ୍ନାକୁ ଆସିଥିବା ଟିକା ନିର୍ମାତା ଭାରତ ବାୟୋଟେକ ପକ୍ଷରୁ ଦାବି କରାଯାଇଛି।

ଗତବର୍ଷ ନଭେମ୍ବରରେ ଦେଶର ୨୫ ଟି ସହରରେ ୧୮ରୁ ୯୮ବର୍ଷ ବୟସ ମଧ୍ୟରେ ୨୫ ହଜାର ୮ଶହ ଲୋକଙ୍କ ଠାରେ ଟିକାର ଟ୍ରାଏଲ ଆରମ୍ଭ ହୋଇଥିଲା ଏବଂ ଏବର୍ଷ ଜାନୁଆରୀ ମାସରେ ଭାରତର ଦେଶୀ କୋଭିଡ୍ ଟିକା କୋଭାକ୍ସିନକୁ ମଞ୍ଜୁରୀ ମିଳିଥିଲା। ତେବେ ଟିକାର ନିରାପତ୍ତା ଏବଂ ଫଳପ୍ରଦତା ନେଇ ପ୍ରଶ୍ନ ଉଠିଥିଲା। ଆଜି ଭାରତ ବାୟୋଟେକ୍ ପକ୍ଷରୁ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୮୧ ପ୍ରତିଶତ ଫଳପ୍ରଦତା ବାବଦରେ ଦାବି କରାଯାଇଛି।

You might also like