ପତଞ୍ଜଳିର କରୋନା ଔଷଧ ଉପରେ ଲାଗିଲା ରୋକ୍‌: ତଥ୍ୟ ଯାଞ୍ଚ ନହେବା ପର୍ଯ୍ୟନ୍ତ ବିଜ୍ଞାପନ ଉପରେ କଟକଣା

ନୂଆଦିଲ୍ଲୀ: ଗବେଷଣା ତଥ୍ୟ ଯାଞ୍ଚ ନହେଲା ପର୍ଯ୍ୟନ୍ତ ପତଞ୍ଜଳି ଆବିଷ୍କାର କରିଥିବା ଔଷଧର ପ୍ରସାର ପ୍ରଚାର କରିବା ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର। ଏନେଇ

ଆୟୁଷ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରି କମ୍ପାନୀକୁ ଗବେଷଣାର ସମସ୍ତ ତଥ୍ୟ ମାଗିବା ସହିତ ଔଷଧର କମ୍ପୋଜିସନ୍‌, ଆନୁଷ୍ଠାନିକ ଏଥିକ କମିଟି କ୍ଲିୟରାନ୍ସ, ସିଟିଆର୍‌ଆଇ ପଞ୍ଜିକରଣ, ପରୀକ୍ଷଣ କରାଯାଇଥିବା ଡାକ୍ତରଖାନା ବିଷୟରେ ତଥ୍ୟ ଓ ପରୀକ୍ଷଣର ସମ୍ପୂର୍ଣ୍ଣ  ତଥ୍ୟ ମାଗିଛି।

ତେବେ ଏହା ପୂର୍ବରୁ ଔଷଧର ପ୍ରଚାର ପ୍ରସାର କରିବାକୁ କମ୍ପାନୀକୁ ବାରଣ କରିଛନ୍ତି କେନ୍ଦ୍ର ସରକାର। ଏଥିସହିତ ଉତ୍ତରାଖଣ୍ଡର ଲାଇସେନ୍ସ ଅଥୋରିଟିଙ୍କୁ ମଧ୍ୟ ଲାଇସେନ୍ସ କପି ସହିତ ଆପ୍ରୁଭାଲ୍‌ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କୁହାଯାଇଛି।

ସୂଚନା ଥାଉକି, ଆଜି କରୋନା ଭାଇରସ ପାଇଁ ଦୁଇଟି ଔଷଧ ଲଞ୍ଚ୍‌ କରିଛି ଆୟୁରବେଦିକ କମ୍ପାନୀ ପତଞ୍ଜଳି। ଏହି ଔଷଧର ନାଁ କୋରୋନିଲ ଓ ଶ୍ୱାସରି ରଖାଯାଇଛି। ଔଷଧର ସଫଳ ପରୀକ୍ଷଣ ହୋଇଥିବା କମ୍ପାନୀ କହିବା ସହିତ ୭ ଦିନ ଭିତରେ କରୋନା ରୋଗ ଭଲ ହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ମଙ୍ଗଳବାର ଉତ୍ତରାଣ୍ଡରର ହରିଦ୍ୱାରରେ ଥିବା କମ୍ପାନୀର ମୁଖ୍ୟାଳୟରେ ଏହି ଔଷଧକୁ ଲଞ୍ଚ କରିଛନ୍ତି ଯୋଗ ଗୁରୁ ରାମ ଦେବ।

ପୂର୍ବରୁ କରୋନା ଔଷଧ ତିଆରି କରିବାରେ ପତଞ୍ଜଳିର ବୈଜ୍ଞାନିକମାନେ ଲାଗି ପଡ଼ିଛନ୍ତି ବୋଲି କମ୍ପାନୀର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ସୂଚନା ଦେଇଥିଲେ। ତେବେ ଆଜି ଲଞ୍ଚ୍ ହୋଇଥିବା ଔଷଧର ପରୀକ୍ଷ ଶତପ୍ରତିଶତ ସଫଳ ହୋଇଛି ବୋଲି ବାଳକୃଷ୍ଣ ଦାବି କରିଛନ୍ତି।

ପତଞ୍ଜଳିର ଗବେଷକମାନେ କମ୍ପାନୀର ରିସର୍ଚ ଇନଷ୍ଟିଟ୍ୟୁଟ୍‌(ପିଆର୍‌ଆଇ) ଏବଂ ନ୍ୟାସ୍‌ନାଲ୍ ଇନଷ୍ଟିଟ୍ୟୁଟ୍‌ ଅଫ୍ ମେଡିକାଲ୍‌ ସାଇନ୍ସ(ଏନ୍‌ଆଇଏମ୍‌ଏସ୍‌)ଜୟପୁରର ମିଳିତ ଉଦ୍ୟମରେ ଗବେଷଣା କରିଥିଲେ। ଦିବ୍ୟା ଫାର୍ମସି ଦ୍ୱାରା ଏହି ଔଷଧ ତିଆରି ହୋଇଥିବା ବାଳକୃଷ୍ଣ ସୂଚନା ଦେଇଛନ୍ତି।

 

You might also like