ଦେଶବ୍ୟାପୀ ଲକ୍‌ଡାଉନ ନେଇ କ’ଣ କହିଲେ କେନ୍ଦ୍ର ସରକାର ? ପଢ଼ନ୍ତୁ..

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଭାରତରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ବିଗତ କିଛି ସପ୍ତାହ ହେବ ଦିନକୁ ସାଢ଼େ ତିନି ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକଡାଉନ୍‌ କରିବାକୁ ପୁଣି ଚର୍ଚ୍ଚା କରାଯାଉଛି । ତେବେ ଦେଶବ୍ୟାପି ଲକଡାଉନ୍‌ ନେଇ ସବୁବେଳେ ବିଚାର ବିମର୍ଷ କରାଯାଉଛି ବୋଲି ସରକାର କହିଛନ୍ତି । କରୋନା ଭାଇରସକୁ ରୋକିବା ପାଇଁ ଲକଡାଉନ୍ ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ନିତି ଆୟୋଗ ସଦସ୍ୟ ଭି.କେ. ପାଉଲ ବୁଧବାର କହିଛନ୍ତି, ‘ଯଦି ଆବଶ୍ୟକତା ପଡେ, ତେବେ ସେହି ବିକଳ୍ପ ଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଥାଏ। ଗତ ଏପ୍ରିଲ୍ ୨୯ରେ, ରାଜ୍ୟମାନଙ୍କୁ ଏକ ବିସ୍ତୃତ ଗାଇଡଲାଇନ ଦିଆଯାଇଛି । ଯେଉଁଥିରେ ନାଇଟ୍ କର୍ଫ୍ୟୁ ଠାରୁ ଆରମ୍ଭ କରି କରୋନା ଭାଇରସ୍ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ବିଷୟରେ କୁହାଯାଇଛି ।

ଦେଶର ୨୪ ଘଣ୍ଟାରେ ୩୭୮୦ ଜଣଙ୍କର କରୋନାରେ ମୃତ୍ୟୁ

ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଜନିତ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ୩୭୮୦ ଜଣ କରୋନାରେ ପ୍ରାଣ ହରାଇସାରିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮ ରେ ପହଞ୍ଚିଛି । ସେହିଭଳି ଗୋଟିଏ ଦିନରେ ୩ ଲକ୍ଷ ୮୨ ହଜାର ୩୧୫ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଏହାକୁ ମିଶାଇ ଦେଶରେ ମୋଟ ମାମଲା ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮କୁ ବୃଦ୍ଧି ପାଇଛି । ଅନ୍ୟପଟେ ଏବେ ଦେଶରେ ୩୪ ଲକ୍ଷ ୮୭ ହଜାର ୨୨୯ଟି ସକ୍ରିୟ ମାମଲା ରହିଛି । ଏହି ସଂଖ୍ୟା ମୋଟ ସଂକ୍ରମଣ ମାମଲାର ୧୬.୮୭ ପ୍ରତିଶତ ।

ମହାରାଷ୍ଟ୍ରରେ କରୋନାଙ୍କର ସର୍ବାଧିକ ମୃତ୍ୟୁ

ଅନ୍ୟପଟେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ସମସ୍ତଙ୍କୁ ଡରାଇ ରଖିଥିବା ବେଳେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ ରହିଛି । ଏଠାରେ ଦିନକରେ ସର୍ବାଧିକ ୮୯୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୩୫୧, ଦିଲ୍ଲୀରେ ୩୩୮, କର୍ଣ୍ଣାଟକରେ ୨୮୮, ଛତିଶଗଡରେ ୨୧୦, ପଞ୍ଜାବରେ ୧୭୩, ରାଜସ୍ଥାନରେ ୧୫୪, ହରିୟାଣାରେ ୧୫୩, ତାମିଲନାଡୁରେ ୧୪୪, ଝାଡ଼ଖଣ୍ଡରେ ୧୩୨, ଗୁଜୁରାଟରେ ୧୩୧, ପଶ୍ଚିମବଙ୍ଗରେ ୧୦୭ ଏବଂ ବିହାରରେ ୧୦୫ ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ ଏ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୨୬ ହଜାର ୧୮୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ତେବେ ଏଥିରୁ କେବଳ ମହାରାଷ୍ଟ୍ରର ୭୧ ହଜାର ୭୪୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ୧୭,୭୫୨ ଜଣ ଦିଲ୍ଲୀରେ ମୃତ୍ୟୁବରଣ କରିଛନ୍ତି ।

You might also like