ଉତ୍ତରପ୍ରଦେଶରେ ପ୍ରଥମ କରୋନା ମୃତ୍ୟୁ; ୨୫ ବର୍ଷ ଯୁବକଙ୍କ ଜୀବନ ଗଲା

ଗୋରଖପୁର: ଉତ୍ତରପ୍ରଦେଶ ପ୍ରଥମ କରୋନା ମୃତ୍ୟୁ ସାମ୍ନାକୁ ଆସିଛି।  ଗୋରଖପୁରର ଆଜି ଜଣେ ୨୫ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି।  ଉତ୍ତର ପ୍ରଦେଶରେ ଏଯାବତ ୧୦୦ରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ନୋଏଡାରୁ ଅଧିକ ରହିଛି।

ଗୋରଖପୁରରେ ମୃତ୍ୟୁ ବରଣ କରିଥିବା ୨୫ ବର୍ଷୀୟ ଯୁବକ ହସନୈନ ଅଲ୍ଲୀ। ତାଙ୍କର କରୋନା ପରୀକ୍ଷା ହୋଇଥିଲା। ସେ ସଂକ୍ରମିତ ହୋଇଥିବା ରିପୋର୍ଟରେ ଆସିଥିଲା। ଗୋରଖପୁର ଗାନ୍ଧୀନଗରର ଏକ ବସ୍ତିରେ ରହୁଥିଲେ। ରବିବାର ଦିନ ଯୁବକ ଜଣଙ୍କୁ ଗୋରଖପୁର ବିଆରଡି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସୋମବାର ହୁସନୈନ ଅଲ୍ଲୀଙ୍କର ମୃତ୍ୟୁ ଘଟିଛି। ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ ବୋଲି ଲକ୍ଷ୍ନୌର କେଜିଏମୟୁର ମୁଖପାତ୍ର ଡାକ୍ତର ସୁଧୀର ସିଂହ କହିଛନ୍ତି।

ଅନ୍ୟପକ୍ଷରେ, ମେରୁଟରେ କରୋନାରେ ଜଣେ ୭୨ ବର୍ଷୀୟ ବୟସ୍କଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ଘର ଶାସ୍ତ୍ରୀନଗର। ତାଙ୍କର ମୃତ୍ୟୁ କରୋନା ଜନିତ ବୋଲି କୁହାଯାଉଥିଲେ ହେଁ ପ୍ରଶାସନ କିମ୍ବା ଡାକ୍ତରଖାନା ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୯୭ ଛୁଇଁଛି। ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୧୨୪। ୩୫ ଜଣଙ୍କର ଏଯାବତ ମୃତ୍ୟୁ ଘଟିଛି।

You might also like