୪୧୫ ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦେଶର ୮୦ଟି ସହର ଲକ୍ ଡାଉନ୍
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।
ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂପର୍କରେ ଯାଞ୍ଚ ଚାଲିଛି।
ଲକ୍ ଡାଉନ୍କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲକ୍ ଡାଉନ୍କୁ କିଛି ଲୋକ ହାଲୁକା ଭାବରେ ଗ୍ରହଣ କରୁଥିବା ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ଟ୍ୱିଟ କରିଥିଲେ। ଏହାପରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଲକ୍ ଡାଉନ୍ ବେଳେ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।
ଅନ୍ୟପକ୍ଷରେ, ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ନିୟନ୍ତ୍ରଣ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ବେଙ୍ଗାଲୁରୁ ସମେତ ଦେଶର ୮୦ଟି ସହରକୁ ଲକ ଡାଉନ ଘୋଷଣା କରାଯାଇଛି। ମାର୍ଚ୍ଚ ୩୧ ଯାଏ ଏହି ଲକ ଡାଉନ ଘୋଷଣା ହୋଇଛି।
କେବଳ ଏତିକି ନୁହେଁ କୋବିଡ-୧୯ ପଜିଟିଭ୍ ଆସିଥିବା ରାଜ୍ୟ ଗୁଡ଼ିକୁ ମଧ୍ୟ ଲକଡାଉନ କରାଯାଇଛି।
ସେହିପରି ଦେଶବ୍ୟାପୀ ଟ୍ରେନ, ଅନ୍ତଃରାଜ୍ୟ ବସ୍ ସେବା ଇତ୍ୟାଦିକୁ ବନ୍ଦ ରଖାଯାଇଛି। ମାର୍କେଟ, ମଲ୍, ସିନେମା, ସ୍କୁଲ, କଲେଜ ମଧ୍ୟ ବନ୍ଦ କରି ଦିଆଯାଇଛି।
ଗତକାଲି କ୍ୟାବିନେଟ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହିତ କଥା ହୋଇଥିଲେ। ଏଥିରେ କେଉଁ ସହରଗୁଡିକ ଲକଡାଉନ୍ କରାଯିବ, ସେନେଇ ଆଲୋଚନା କରିଥିଲେ।