ଆମେରିକାରେ ସ୍ଥିତି ଜଟିଳ, ଦିନକରେ ପ୍ରାଣ ହରାଇଲେ ୧୫୦୦

ୱାସିଂଟନ୍: ମହାମାରୀ କରୋନା କବଳରେ ପୃଥିବୀର ୨୦୫ ଦେଶ  ସବୁଠୁ ଅଧିକ ପ୍ରଭାବିତ ହୋଇଛି ସୁପରପାୱାର୍ ଆମେରିକା। ଗତ ୨୪ ଘଣ୍ଟାରେ ଆମେରିକାରେ ପ୍ରାଣ ହରାଇଲେ ପ୍ରାୟ ୧୫ ଶହ ଲୋକ। ଗତକାଲି କେବଳ ୧୪ ଶହ ୮୦ ଲୋକ ଏହି ଭୟାନକ ରୋଗରେ ଜୀବନ ହରାଇଛନ୍ତି। ଆମେରିକାର ନ୍ୟୁୟର୍କ, କାଲିଫର୍ଣ୍ଣିଆ, ନ୍ୟୁଜର୍ସି, ଓ୍ବାସିଂଟନ୍ ଡିସିରେ ପରିସ୍ଥିତି ଅଣାୟତ୍ତ ଆଡ଼କୁ ଗଲାଣି।

ଏହି ସବୁ ଅଞ୍ଚଳରୁ ପ୍ରତି ଘଣ୍ଟାରେ ହଜାର ହଜାର ଲୋକେ କରୋନାରେ ଆକ୍ରାନ୍ତ ହେଉଥିବା ରିପୋର୍ଟ ଆସିଛି। ଏବେ ଯାଏ କେବଳ ଆମେରିକାରେ ୨ ଲକ୍ଷ ୭୭ ହଜାରରୁ ଅଧିକ ଲୋକେ କରୋନାରେ ଆକ୍ରାନ୍ତ ହେଲେଣି। ସେହିଭଳି ଇଟାଲି, ଫ୍ରାନ୍ସ ଏବଂ ସ୍ପେନ୍‌ରେ ସ୍ଥିତି ଜଟିଳ ହୋଇଛି। ଇଟାଲିରେ ମୃତ୍ୟୁ ସଂଖ୍ୟା ୧୪ ହଜାରକୁ ପାର କରିଥିବା ବେଳେ ସ୍ପେନ୍‌ରେ ସ୍ଥିତି ସଙ୍ଗୀନ ଆଡ଼କୁ ଯାଇଛି।

ମୃତ୍ୟୁ ସଂଖ୍ୟା ୧୧ ହଜାରକୁ ପାର କରିଥିବାବେଳେ ପ୍ରାୟ ଲକ୍ଷେ ୨୪ ହଜାର ଲୋକେ ଏବେ ଚିକିତ୍ସାଧୀନ ରହିଛନ୍ତି। ସେହିଭଳି ଫ୍ରାନ୍ସରେ ଗତକାଲି ସର୍ବାଧିକ ୧୧ଶହ ୨୦ ଜଣଙ୍କ  ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୬ ହଜାରକୁ ବୃଦ୍ଧି ପାଇଛି। ସେହିପରି ଇରାନରେ ୩ ହଜାରରୁ ଅଧିକ, ବ୍ରିଟେନରେ ୩ ହଜାର ୬୦୫ ଏବଂ ନେଦରଲାଣ୍ଡସରେ ୧୪ ଶହରୁ ଅଧିକ ରହିଛି।

ସାରା ବିଶ୍ୱରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷକୁ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ୬୦ ହଜାରକୁ ପାର କରିଛି। ତେବେ ଭଲ କଥା ହେଉଛି ଏବେ ଯାଏ  ୨ ଲକ୍ଷ ୩୬ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

You might also like