ଆମେରିକାରେ କରୋନା ମୃତ୍ୟୁ ୮୦ ହଜାର ଟପିଲା

ୱାଶିଂଟନ: ଆମରିକାରେ କରୋନା ମୃତ୍ୟୁ ସଂ‌ଖ୍ୟା ୮୦ ହଜାର ଟପିଲାଣି। ବର୍ତ୍ତମାନସୁଦ୍ଧା ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୯ ହଜାରରେ ପହଞ୍ଚିଛି। ଜନ୍ ହାପ୍‌କିନ୍ସ ୟୁନିଭର୍ସିଟି ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୬ ଲୋକଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦ ହଜାର ୫୬୨କୁ ଛୁଇଁଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ଟ୍ରମ୍ପ ସରକାର ଏକ ପ୍ରକାର ବିଫଳ ହୋଇଛନ୍ତି। ଆମେରିକାର ସବୁଠାରୁ ସୁରକ୍ଷିତ ସ୍ଥାନ ହ୍ୱାଇଟ୍‌ ହାଉସ୍‌ରେ ବି କରୋନା ପହଞ୍ଚି ସାରିଛି। ହ୍ୱାଇଟ୍‌ ହାଉସରେ ବର୍ତ୍ତମାନ ସୁଦ୍ଧା ୨ଟି ମାମଲା ସାମ୍ନାକୁ ଆସିଛି।

ସୂଚନାଥାଉ କି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାସ୍କ ପିନ୍ଧିବାକୁ ମନା କରି ଆସୁଥିଲେ। ଆମେରିକାରେ ଏବେ କରୋନା ଗମ୍ଭୀର ସ୍ଥିତିରେ ଥିଲାବେଳେ ବି ଟ୍ରମ୍ପ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ୭୩ ବର୍ଷ ବୟସ୍କ ଟ୍ରମ୍ପ ସହି ଆୟୁ ବର୍ଗରେ ଅଛନ୍ତି ଯେଉଁ ବର୍ଗ ପାଇଁ କରୋନା ଜନିତ ବିପଦ ରହିଛି ବୋଲି କୁହାଯାଉଛି।

ତଥାପି ରାଷ୍ଟ୍ରପତି ଟ୍ରମ୍ପ ଆଶାବ୍ୟକ୍ତ କରି କହିଛନ୍ତି – ‘ଆମେ ଏହି ଭୟଙ୍କର ଶତ୍ରୁର ମୁକାବିଲା କରିବା ଏବଂ ତାକୁ ହରାଇବା। ଆମ ଅର୍ଥ ବ୍ୟବସ୍ଥାକୁ ପୁନର୍ଜୀବିତ କରିବା ଏବଂ ଆମର ମହାନତା ବଳରେ ପରବର୍ତ୍ତନ ଆଣିପାରିବା। ମୋର ବିଶ୍ୱାସ, ଆଗାମୀ ବର୍ଷ ଆମ ପାଇଁ ସବୁଠାରୁ ଭଲ ସମୟ ହେବ ।’

ସୂଚନାଥାଉ କି, ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଲକ୍ଷ ପାରି କରିଥିବାବେଳେ ୨ ଲକ୍ଷ ୮୫ ହଜାର ଲୋକଙ୍କର ମୃତ୍ୟୁ ଘଟିଲାଣି। ତେବେ ୧୪ ଲକ୍ଷ ୫୫ ହଜାର ୭୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି।

 

You might also like