୭୮ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ୭୮ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ପ୍ରାୟ ୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ପଜିଟିଭ୍ ସଂଖ୍ୟା ୭୮ ହଜାର ୩ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ହଜାର ୫୪୯ଜଣଙ୍କ ମୃତ୍ୟୁ ଘଟିଛି। ୪୨ ହଜାର ୨୧୯ ସକ୍ରିୟ ସଂକ୍ରମିତ ଅଛନ୍ତି।

ଦେଶ ପାଇଁ ସବୁଠାରୁ ଚିନ୍ତାର ବିଷୟ ପାଲଟିଛି ମହାରାଷ୍ଟ୍ର। ଏଠାରେ ବେଲଗାମ ହେଉଛି କରୋନା ଭାଇରସ। ଆକ୍ରାନ୍ତଙ୍କ ସଂଖ୍ୟା ଯେମିତି ବଢ଼ୁଛି ତା ସାଙ୍ଗକୁ ତାଳ ଦେଇ ବଢ଼ୁଛି ମୃତ୍ୟୁ ସଂଖ୍ୟା।  ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ଦିନକରେ ପ୍ରାୟ ୨ ହଜାର ବଢ଼ି ୨୬ ହଜାର ଛୁଇଁବାକୁ ଯାଉଥିବା ବେଳେ ମୃତ୍ୟୁସଂଖ୍ୟା ୯୭୫ରେ ପହଞ୍ଚିଲାଣି।

ମହାରାଷ୍ଟ୍ର ତଳକୁ ଗୁଜରାଟରେ ୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫୫୦ରୁ ଅଧିକ ଲୋକଙ୍କ ଜୀବନ ଗଲାମି। ତା ତଳକୁ ଥିବା ତାମିଲନାଡ଼ୁରେ ବି କୋରନା ସ୍ଥିତି ଜଟିଳ ରହିଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୨୨୭ ଥିବା ବେଳେ ମୃତ୍ୟୁ ସଂଖ୍ୟା ୬୪ ରହିଛି। ସେହିଭଳି ଦିଲ୍ଲୀରେ ୭୯୯୮ ଆକ୍ରାନ୍ତ ହୋଇଥିବା ବେଳେ ୧୦୬ ଜଣଙ୍କର ଜୀବନ ନେଇଛି କରୋନା ଭାଇରସ।

ସେହିଭଳି ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୨୮ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨୧ ରହିଛି। ମଧ୍ୟପ୍ରଦେଶରେ ମଧ୍ୟ କରୋନା ସ୍ଥିତି ଜଟିଳ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୭୩ ଥିବା ବେଳେ ମୃତ୍ୟୁ ୨୩୨ରେ ପହଞ୍ଚିଛି।

You might also like