୭ ମାସ ପରେ ଖୋଲିଲା ସିନେମା ହଲ, ଯିବା ପୂର୍ବରୁ ଜାଣି ରଖନ୍ତୁ ଏସବୁ ନିୟମ
ନୂଆଦିଲ୍ଲୀ: ୬ ମାସ ପରେ ଖୋଲିଛି ସିନେମା ହଲ୍। ଦିଲ୍ଲୀ, କୋଲକାତା, ଲକ୍ଷ୍ନୌ, ଚଣ୍ଡିଗଡ଼, ବେଙ୍ଗାଲୁରୁ ସମେତ ଦେଶର କିଛି ମେଟ୍ରୋ ଏବଂ ଛୋଟ ସହରରେ ଆଜିଠୁ ସିନେମା ହଲ୍ ଖୋଲିଛି। ମଲ୍ଟି ପ୍ଲେକ୍ସ ସହ ଅନ୍ୟ ସିଙ୍ଗଲ ସ୍କ୍ରିନ୍ ସିନେମା ଥିଏଟର ବି ଖୋଲିଛି।
ଏନେଇ ବିଶେଷ ଭାବେ କୋଭିଡ କଟକଣା ପାଳନ ନେଇ ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା, ମାସ୍କ, ସାନିଟାଇଜର୍ସକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ୫୦ ପ୍ରତିଶତ ଦର୍ଶକ ବସିବା ସହ ସାନିଟାଇଜ୍ କରିବା ନେଇ ଧ୍ୟାନ ରଖିଛନ୍ତି ସିନେମା ହଲ୍ କର୍ତ୍ତୃପକ୍ଷ। ଏହାସହ ଟଚ୍ ଫ୍ରି ଓ ଅନଲାଇନ୍ ଟିକେଟ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି।
ତେବେ ଓଡ଼ିଶା ସମେତ ଏକାଧିକ ରାଜ୍ୟରେ ଆଜି ଖୋଲିବନି ସିନେମା ହଲ୍। ମହାରାଷ୍ଟ୍ର, କେରଳ, ରାଜସ୍ଥାନ, ଆସାମ ଏବଂ ଉତ୍ତର ପୂର୍ବାଞ୍ଚଳର ଏକାଧିକ ରାଜ୍ୟ ଆସନ୍ତା ୩୧ ଯାଏ ସିନେମା ହଲ୍ ନଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟ ସିନେମା ହଲ୍ ଖୋଲିବା ପରେ ତାନାଜୀ, ଥପଡ୍ ଭଳି ଫିଲ୍ମକୁ ପୁଣି ରିଲିଜ୍ କରାଯିବ।
ତେବେ ସିନେମା ହଲକୁ ଯିବା ପୂର୍ବରୁ କେତେକ ଗାଇଡଲାଇନ ମାନିବାକୁ ପଡ଼ିବ। କ’ଣ ସେହି ଗାଇଡ ଲାଇନ ଜାଣନ୍ତୁ-
୧-ସିନେମା ହଲ୍ ଭିତରକୁ ସବୁ ଦର୍ଶକ ଯାଇ ପାରିବେ ନାହିଁ। ଯାହାର ବୟସ ୬ରୁ ଅଧିକ ଏବଂ ୬୦ରୁ କମ୍ ହୋଇଥିବ ସେହିମାନେ ହିଁ ଯାଇପାରିବେ
୨-ସିନେମା ହଲକୁ ଯିବା ପୂର୍ବରୁ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଥିବା ଜରୁରୀ
୩-ସିନେମା ହଲ୍ରେ ଗୋଟିଏ ସିଟ୍ ପରେ ଗୋଟିଏ ଖାଲି ରହିବ। ଅର୍ଥାତ୍ ସିନେମା ହଲ୍ରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ
୪-ହଲ୍କୁ ଯିବାକୁ ହେଲେ ମାସ୍କ ପିନ୍ଧିବା ଆବଶ୍ୟକ। ସୋଶାଲ ଡିଷ୍ଟାନ୍ସିଂ ମଧ୍ୟ ଜରୁରୀ ଅଟେ।
୫-ସିନେମା ହଲ୍ ଭିତରେ ଭେଣ୍ଟିଲେସନ ସୁବିଧା ରହିବା ନିହାତି ଆବଶ୍ୟକ। ଏସି ଟେମ୍ପରେଚର ୨୩ ଡିଗ୍ରୀରୁ ଉପରେ ରହିବ।
୬-ଫିଲ୍ମ ଦେଖିବା ସମୟରେ ହଲ୍ ଭିତରେ ଖାଇବା, ପିଇବା ମନା
୭-ଟିକେଟ ବୁକିଂ ସମ୍ପୂର୍ଣ୍ଣ ଅନ୍ଲାଇନରେ ହେବ। କାଉଣ୍ଟରରେ ଟିକେଟ ମିଳିବ ନାହିଁ
୮-ସିନେମା ହଲ୍ର ଏଣ୍ଟ୍ରି ଏବଂ ଏକ୍ଜିଟ ଗେଟ, ଲବିକୁ ନିର୍ଦ୍ଦିଷ୍ଟ ସମୟାନ୍ତରରେ ସାନିଟାଇଜ କରାଯିବ