• translate
Prangyan Parimita

ନୂଆଦିଲ୍ଲୀ : କରୋନାର ନୂଆ ଭାରିଏଣ୍ଟ୍ ଡେଲଟା ବିରୋଧରେ ଅଧିକ ପ୍ରଭାବଶାଳୀ ସଞ୍ଜିବନୀର ଦୁଇ ଡୋଜ୍ । କରୋନାର ଦୁଇ ଡୋଜ୍ ଭ୍ୟାକ୍ସିନ ନେଇଥିଲେ ସଂକ୍ରମିତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା କମିଯାଏ । ବ୍ରିଟେନରେ ହୋଇଥିବା ଅଧ୍ୟୟନରେ ଏପରି ଖୁଲାସା କରାଯାଇଛି । ଅଧ୍ୟୟନ ଅନୁସାରେ ଏଷ୍ଟ୍ରୋଜେନେକା-ଅକ୍ସଫୋର୍ଡ ଭ୍ୟାକ୍ସିନର ଦୁଇ ଡୋଜ୍ ପରେ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନାକୁ କମାଇ ଦେଇଥାଏ । ଏହା କରୋନା ବିରୋଧୀ ଲଢ଼େଇରେ ୮୯ ପ୍ରତିଶତ ପ୍ରଭାବଶାଳୀ ଅଟେ । ଅନ୍ୟପଟେ ଫାଇଜର ଓ ବାୟୋଏନଟେକର ଦୁଇ ଡୋଜ୍ ଭ୍ୟାକ୍ସିନ କରୋନା ବିରୋଧରେ ୯୬ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ ।

ବ୍ରିଟେନରେ ହୋଇଥିବା ଏହି ଅଧ୍ୟୟନ ବର୍ତ୍ତମାନ ସମୟରେ ଅନେକ ଗୁରୁତ୍ୱ ବହନ କରୁଛି, କାରଣ ଭାରତରେ କରୋନର ଦ୍ୱିତୀୟ ଲହରୀ ପାଇଁ ଡେଲଟା ଭାରିଏଣ୍ଟକୁ ଦାୟୀ କରାଯାଇଛି । ଡେଲଟା ଭାରିଣ୍ଟ୍ ଭାରତରେ ତାଣ୍ଡବ ରଚିଛି । ଦ୍ରୁତ ବେଗରେ ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି । ବିଶ୍‌ବ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଡେଲଟା ଭାରିଏଣ୍ଟକୁ ଚିନ୍ତାର ବିଷୟ ବୋଲି ସତର୍କ କରାଯାଇଛି ।

ସେପେଟେ ଗତ ମଙ୍ଗବାର ଦିନ ଡେଲଟା ଭାରିଣ୍ଟ୍ କୁ ନେଇ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର । ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍ କହିଛନ୍ତି, କରୋନାର ନୂଆ ଭାରିଏଣ୍ଟ ୨୦୨୦ ତୁଳନାରେ ଅଧିକ ଚାଲାକ ହୋଇଯାଇଛି । ଦ୍ୱିତୀୟ ଲହରୀ ପଛରେ ଡେଲଟା ଭାରିଏଣ୍ଟ୍ ରହିଛି । ଏହି ଭାରିଏଣ୍ଟ୍  ଅନେକ ଘର ଉଜାଡ଼ି ଦେଇଛି, ଅନେକ ପରିବାର ଛାରଖାର ହୋଇଯାଇଛି । ଡେଲଟା ଭାରିଏଣ୍ଟର ଅତିରିକ୍ତ ମ୍ୟୁଟେସନ୍ ମଧ୍ୟ ଦେଖିବାକୁ ମିଳିଛି । ଏହି ଷ୍ଟ୍ରେନର ଚିହ୍ନଟ ପାଇଁ ଗ୍ଲୋବାଲ ଡାଟା ସିଷ୍ଟମକୁ ଦାୟିତ୍ୱ ଦିଆଯାଇଛି । ମାର୍ଚ୍ଚରେ ୟୁରୋପରେ ଏହି ଭାରିଏଣ୍ଟ୍‌ ଦେଖାଯାଇଥିଲା ଓ ୧୩ ଜୁନରେ ଏହାକୁ ସର୍ବସାଧାରଣରେ ପ୍ରକାଶ କରାଯାଇଥିଲା । ଏବେ କରୋନର ନୂଆ ଭାରିଏଣ୍ଟ୍ ପାଇଁ ପାଇଁ ଅଧିକ ସତର୍କ ରହିବାକୁ ପଡ଼ିବ । ସାମାଜିକ ଦୂରତ୍ୱକୁ ଅଧିକ ଗୁରୁତ୍ୱ ଦେବା ସହ ମାସ୍କ ପିନ୍ଧିବାକୁ ପଡ଼ିବ ବୋଲି କହିଛନ୍ତି ।

ଅନ୍ୟପଟେ ଡେଲଟା ଭାରିଏଣ୍ଟ୍ ପାଇଁ ଲକଡାଉନ୍ ବଢ଼ାଇବାକୁ ବିଚାର କରୁଛନ୍ତି ବ୍ରିଟେନ୍ ସରକାର । ଦେଶରେ ଡେଲଟା ଭାଇରସ୍ ପାଇଁଲଗାତାର ସଂକ୍ରମଣ ବୃଦ୍ଧି ପାଉଛି । ଫଳରେ ୨୧ ଜୁନ ପରେ ମଧ୍ୟ ସମସ୍ତ ଲକଡାଉନ୍ କଟକଣା ଆଉ ଚାରି ସପ୍ତାହ ବଢ଼ାଇବା ପାଇଁ ବିଚାର କରୁଛନ୍ତି ସରକାର । ବ୍ରିଟେନରେ ଫେବୃଆରୀ ପରେ ୨୪ ଘଣ୍ଟାରେ କରୋନାର ସବୁଠାରୁ ଅଧିମ ମାମଲା ଚିହ୍ନଟ ହୋଇଛି । ଡେଲଟା ଭାରିଏଣ୍ଟ୍ (B1.617.2) ପାଇଁ ଏକ ସପ୍ତାହରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୩୦ ହଜାରରୁ ୪୨,୩୨୩ କୁ ବୃଦ୍ଧି ପାଇଥିବା କହିଛି ସ୍ୱାସ୍ଥ୍ୟ ବିଭାଗ ।  ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନାର ତାଜା ତଥ୍ୟ ଉପରେ ବିଚାର କରୁଛନ୍ତି। ସୋମବାର ଲକଡାଉନ୍ ସମ୍ପର୍କରେ ଘୋଷଣା କରିବାର ଅନେକ ସମ୍ଭାବନା ରହିଛି ।

Other Stories