କରୋନାରେ ଭାରତ ସମେତ ସାରା ବିଶ୍ୱର ସ୍ଥିତି ଏବେ ଏମିତି

ନୂଆଦିଲ୍ଲୀ: ବିଶ୍ୱ ଶତ୍ରୁ କରୋନାକୁ ହରାଇବା ପାଇଁ, ରିତିମତ୍ ଯୁଦ୍ଧ ଚଳାଇଛି ଭାରତ। ମୁଖ୍ୟ ଅସ୍ତ୍ର ସାଜିଛି ସ୍ୱଚ୍ଛତା, ସଚେତନତା ଓ ସାମାଜିକ ଦୂରତ୍ୱ। ଟ୍ରେନ୍, ଷ୍ଟେସନ୍, ବସ୍ ଆଉ ବସ୍ ଷ୍ଟାଣ୍ଡ୍ ସବୁଠି କରୋନା ସତର୍କତା।

ଦେଶର ପାର୍ଲାମେଣ୍ଟରୁ ଆରମ୍ଭ କରି ଜନଗହଳି ପୂର୍ଣ୍ଣ ସ୍ଥାନ, ସାନିଟାଇଜର ସ୍ପ୍ରେ ସହ ଥର୍ମାଲ୍ ସ୍କ୍ରିନିଂକୁ କଡ଼ାକଡ଼ି କରାଯାଇଛି। ନିଜ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ବି ନିଜ ଶରୀରର ତାପମାତ୍ରା ଯାଞ୍ଚ କରାଇ ନେଇଛନ୍ତି।

ଦିଲ୍ଲୀର ଅକ୍ଷରଧାମ, ଅମୃତସର ସ୍ୱର୍ଣ୍ଣମନ୍ଦିର, ବେଙ୍ଗଳୁରୁର ଇସ୍କନ ଆଦି ମନ୍ଦିରରେ ଶ୍ରଦ୍ଧାଳୁ ସଂଖ୍ୟା କମିଥିଲେ ବି ସଫେଇ କାମକୁ ଜୋରଦାର କରାଯାଇଛି।

ଦେଶର ୧୫ରୁ ଅଧିକ ରାଜ୍ୟରେ କାୟା ମେଲାଇଛି କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ର ରେ ସର୍ବାଧିକ ଥିବା ବେଳେ କେରଳ ଦ୍ୱିତୀୟ ସ୍ଥାନରେ ରହିଛି। ଆଜି ସେନାବାହିନୀରେ ବି ଶୁଭିଛି କରୋନାର ପଦଧ୍ୱନୀ। ଲେହର ଜଣେ ଯବାନ ଛୁଟିରେ ଘରକୁ ଯାଇଥିବା ବେଳେ, ଇରାନ୍‌ରୁ ଫେରିଥିବା ନିଜ ବାପାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି।

ଏହାପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅର୍ଦ୍ଧସାମରିକ ବାହିନୀକୁ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେବା ସହ ଅତି ଜରୁରୀ ନଥିଲେ ଯବାନ ଓ ଅଧିକାରୀଙ୍କ ଘରକୁ ନଯିବା ପାଇଁ  ନିର୍ଦ୍ଦେଶ ଦେଇଛି।

ଏପଟେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସାଉଦି ଆରବରୁ ଫେରିଥିବା ସାଂସଦ ସୁରେଶ ପ୍ରଭୁ ଓ ଇଂଲଣ୍ଡରୁ ଫେରିଥିବା ଗାୟକ ଅନୁପ ଜଲୋଟା ହୋମ୍ ଆଇସୋଲେସନ୍‌ରେ ଅଛନ୍ତି। କରୋନା ଡର ୟୋଗୁ ଆସନ୍ତା ମାସେ ଯାଏ ସମସ୍ତ ପ୍ରକାର ଧାରଣା ଓ ବିକ୍ଷୋଭରୁ ବିରତ ରହିବାକୁ ନିଷ୍ପତ୍ତି ନେଇଛି ବିଜେପି।

ତେବେ ସିଏଏକୁ ନେଇ ଦିଲ୍ଲୀ ସାହିନବାଗ ସମେତ ଅନ୍ୟ ସ୍ଥାନରେ ଶହ ଶହ ଲୋକ ଆନ୍ଦୋଳନରେ ବସିଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି।

ତେବେ କରୋନା ମାଡ଼ରେ ଧରାଶାୟୀ ଭାରତୀୟ ସେୟାର ବଜାରରେ ଏପ୍ରିଲ ଶେଷ ସୁଦ୍ଧା ସୁଧାର ଆସିବା ଅନୁମାନ କରିଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି. ସୁବ୍ରମନିୟନ।

Image result for wahan china

ଆଜି ସୁଦ୍ଧା ବିଶ୍ୱର ୧୬୭ଟି ଦେଶରେ ପ୍ରାୟ ୨ଲକ୍ଷ ଲୋକ ମାରାତ୍ମକ କରୋନାରେ ସଂକ୍ରମିତ ହୋଇଛନ୍ତି। ଇଟାଲୀରେ ମୃତ୍ୟୁସଂଖ୍ୟା  ଅଢ଼େଇ ହଜାର ଟପି ଥିବା ବେଳେ ବିଶ୍ୱବ୍ୟାପୀ ସଂଖ୍ୟା ୮ହଜାର ଟପିଛି। ଇଟାଲୀ, ଇରାନ, ସ୍ପେନ୍ ଓ ଜର୍ମାନୀରେ ସ୍ଥିତି ଜଟିଳ ରହିଛି। ତେବେ ଭୁତାଣୁର ଉତ୍ପତ୍ତିସ୍ଥଳ ଚୀନ୍‌ର ଉହାନରେ ଗତକାଲି ମାତ୍ର ଜଣେ ନୂଆ ରୋଗୀଚିହ୍ନଟ ହୋଇଛନ୍ତି।

You might also like