ଦେଶରେ ଚିହ୍ନଟ ହେଲେ ୩,୫୭,୨୨୯ କରୋନା ଆକ୍ରାନ୍ତ, ଆଖି ବୁଜିଲେ ୩୪୪୯

ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଶରେ ଭୟାନକ ସ୍ଥିତି ସୃଷ୍ଟି କରିଛି । ସୋମବାର ସୁଦ୍ଧା ଦେଶର କରୋନା ରୋଗୀଙ୍କ ସଂଖ୍ୟା ୨ କୋଟି ଛୁଇଁଛି । ଭାରତ ବିଶ୍ୱର ୨ୟ ଦେଶ ଯେଉଁଠି ୨ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ସଂକ୍ରମଣ ଏତେ ଦ୍ରୁତ ଗତିରେ ବ୍ୟାପୁଛି ଯେ, ଗତ ୧୩୭ ଦିନରେ ମାମଲା ୧ କୋଟିରୁ ୨ କୋଟି ପାର ହୋଇଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୫୭ ହଜାର ୨୨୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୪୪୯ ଲୋକଙ୍କର ଜୀବନ ନେଇଛି କରୋନା । ସେହିପରି ସୋମବାର ଦିନ ୨.୯୯ ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦେଶରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୨ ଲକ୍ଷ ୭୫ ହଜାର ୫୪୩ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନାରେ ଆଖି ବୁଜିଛନ୍ତି ୨ ଲକ୍ଷ ୨୨ ହଜାର ୬୬୬ ଜଣ । ବର୍ତ୍ତମାନ ସୁଦ୍ଧା ଦେଶରେ ୧.୬୨ କୋଟି ଲୋକ ଭାଇରସକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଦେଶରେ କରୋନା ଆକ୍ଟିଭ ସଂଖ୍ୟା ୩୪ ଲକ୍ଷ ୪୪ ହଜାର ୫୪୮ ରହିଛି ।

କରୋନାରେ ସବୁଠାରୁ ଅଧିକ ମୃତ୍ୟୁବରଣ କରୁଥିବା ଦେଶ ମଧ୍ୟରେ ଭାରତ ମେକ୍ସିକୋକୁ ପଛରେ ପକାଇ ୩ ନମ୍ବରରେ ରହିଛି । ଏହି ତାଲିକାରେ ଆମେରିକା ନାମ ପ୍ରଥମରେ ରହିଛି । ଏଠାରେ ୫.୯୨ ଲକ୍ଷ ଲୋକ ମହାମାରୀରେ ଆଖି ବୁଜିଛନ୍ତି । ସେହିପରି ବ୍ରାଜିଲ୍‌ରେ ମହାମାରୀ ୪.୦୭ ଲକ୍ଷ ଲୋକଙ୍କ  ଜୀବନ ନେଇଛି । ୪ର୍ଥ ସ୍ଥାନରେ ରହିଛି ମେକ୍ସିକୋ । ଏଠାରେ ବର୍ତ୍ତମାନ ସୁଦ୍ଧା ୨.୧୭ ଲକ୍ଷ ଲୋକଙ୍କର କରୋନରେ ଜୀବନ ଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ,ଦେଶରେ ୧୨ଟି ରାଜ୍ୟ ଯେଉଁଠି ୧ ଲକ୍ଷରୁ ଅଧିକ ଆକ୍ଟିଭ କେସ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଏଣ୍ଟ ସେକ୍ରେଟେରୀ ଲବ୍‌ ଅଗ୍ରୱାଲଙ୍କ କହିବା ଅନୁଯାୟୀ, ଦେଶରେ ମୃତ୍ୟୁ ହାର ୧% ପାଖାପାଖି ରହିଛି । ଦିଲ୍ଲୀ, ଛତିଶଗଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ ସଂକ୍ରମଣ ହାର କମୁଥିବା ଲକ୍ଷ୍ୟ କରାଯାଉଛି ।

ଲବ୍‌ ଅଗ୍ରୱାଲଙ୍କ କହିବା ଅନୁଯାୟୀ, ଦେଶରେ ପଜିଟିଭିଟି ରେଟ ବର୍ତ୍ତମାନ ସୁଦ୍ଧା ୮୧.୭୭% ରହିଛି । ରିକଭରି ରେଟ ଲଗାତାର ବଢିବାରେ ଲାଗିଛି । ମେ ୨ ତାରିଖରେ ଏହି ହାର ୭୮% ଥିବାବେଳେ ମେ’ ୩ ତାରିଖରେ ୮୨%କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରେ ସୋମବାର ୪୮.୬୨୧ ଲୋକ ସଂକ୍ରମିତ ହୋଇଥିବାବଳେେ ୫୯,୫୦୦ ସୁସ୍ଥ ହୋଇଛନ୍ତି । ତେବେ ଏହି ସମୟ ମଧ୍ୟରେ ରାଜ୍ୟରେ ୫୬୭ ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶରେ ସୋମବାର ୨୯, ୦୫୨ ଜଣଙ୍କର ସଂକ୍ରମିତ ହୋଇଥିବାବେଳେ ୨୮୫ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩.୪୨ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ସୋମବାର ୧୮, ୦୪୩ ଜଣ କରୋନା ପଜିଟିଭ ମିଳିଥିବାବେଳେ ୨୦,୨୯୩ ଜଣ ସୁସ୍ଥ ହୋଇଛନ୍ତି । ଏହି ସମୟ ମଧ୍ୟରେ ୪୪୮ ଜଣଙ୍କର ମୃତ୍ୟୁ ଘଟିଛି ।

ସାରା ବିଶ୍ୱ କଥା କହିଲେ, ଗତ ୨୪ ଘଣ୍ଟା ମଧ୍ୟରେ ୬ ଲକ୍ଷ ୭୯ ହଜାର ୯୦୦ ଲୋକ ସଂକ୍ରମିତ ହୋଇଛନ୍ତି । ଏହି ସମୟ ମଧ୍ୟରେ ୯,୯୫୭ ଜଣ କରୋନାରେ ଆଖି ବୁଜିଛନ୍ତି । ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୧୫.୩୪ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ଏହି ମହାମାରୀ ନେଇଛି ୩୨.୧୬ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ । ସେହିପରି ୧୩.୧୪ କୋଟି ଲୋକ କରୋନାକୁ ମାତ୍ ଦେଇଛନ୍ତି । କରୋନା ମହାମାରୀର ଦ୍ୱିତୀୟ ଲହର ଦେଶରେ ଭୟାନକ ସ୍ଥିତି ସୃଷ୍ଟି କରିଛି ।

You might also like