ସେଲ୍ଫ କ୍ବାରେଣ୍ଟାଇନ ନିୟମ ଭାଙ୍ଗିଲେ, ଏବେ ୩ ବର୍ଷ ଜେଲ୍‌ରେ ରହିବେ

ବେଲଗ୍ରେଡ୍‌: ସାରା ବିଶ୍‌: ମହାମାରୀ କୋଭିଡ-୧୯ର ଭୟାବହତାରେ ଥରହର । ଏହି ଭାଇରସଠାରୁ ବର୍ତ୍ତିବା ପାଇଁ ଅନେକ ଦେଶ କଠୋର ପଦକ୍ଷେପମାନ ନେଉଛନ୍ତି । ଅଧିକାଂଶ ଦେଶ ଲକ୍‌ଡାଉନ କରି ଦେଇଛନ୍ତି । ଘରୁ ନ ବାହାରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି । ହେଲେ ଅନେକ ଲୋକ ଏହାକୁ ଉଲ୍ଲଂଘନ କରୁଛନ୍ତି । ଏପିରିକି ଆକ୍ରାନ୍ତମାନଙ୍କୁ ସେଲଫ କ୍‌:ାରେଣ୍ଟାଇନ୍‌ରେ ରହିବାକୁ କୁହାଗଲେ ମଧ୍ୟ ସେମାନେ ମାନୁ ନାହାନ୍ତି । ଏପଟେ ଭାଇରସ ସଂକ୍ରମଣ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦେଖି ଅନେକ ଦେଶରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ସର୍ବିଆରେ ସେଲ୍ଫ କ୍ବାରେଣ୍ଟାଇନ ନିୟମ ଭାଙ୍ଗିଥିବା ୩ ଜଣଙ୍କୁ ତିନି ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ ହୋଇଛି ।
ପରିସ୍ଥିତିକୁ ଦେଖି ସର୍ବିଆରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି । ଏହାକୁ ପାଳନ କରିବା ପାଇଁ ଦେଶବାସୀଙ୍କୁ ତାଗିଦ୍‌ କରାଯାଇଛି । ଏହି ଦେଶରେ ୫୨୮ ଜଣ କୋଭିଡ ୧୯ରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୮ ଜଣଙ୍କର ମୃତ୍ୟୁ ହୋଇ ସାରିଛି ।
ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଏହି ତିନି ଜଣ ବିଦେଶ ଯାତ୍ରାରୁ ଫେରିଥିଲେ । କୋଭିଡ ୧୯ ମହାମାରୀକୁ ଦୃଷ୍ଟିରେ ରଖି ମେଡିକାଲ ନିୟମ ଅନୁସାରେ ଏଠାରେ ସେମାନଙ୍କୁ ୧୪ରୁ ୨୮ ଦିନ ସେଲ୍ଫ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ହେଲେ ଏହି ତିନି ଜଣ ବିଭିନ୍ନ ସ୍ଥାନରେ କ୍ବାରେଣ୍ଟାଇନ ନିୟମ ଭଙ୍ଗ କରିଥିବା ନଜରକୁ ଆସିଥିଲା । ଏପରି ଅଭିଯୋଗ ପାଇବା ପରେ ସ୍ଥାନୀୟ ପୋଲିସ ସୋମାନଙ୍କୁ ଗିରଫ କରିଛି । ସୂଚନା ଥାଉ କି, ଏପରି ଅପରାଧରେ ବର୍ତ୍ତମାନସୁଦ୍ଧା ସର୍ବିଆରେ ୧୧୧ ଜଣଙ୍କୁ ଗିରଫ କରାଯାଇଛି । ତେବେ ଏହି ୩ ଜଣଙ୍କୁ ୩ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ହୋଇଛି ।
ଏହି ତିନି ଜଣ ବ୍ୟକ୍ତି ନିସ ଦକ୍ଷିଣ ଟାଉନର ବାସିନ୍ଦା । ଅନ୍ୟ କେତେକଙ୍କୁ ୨ ବର୍ଷ ଓ ଅଢେଇବର୍ଷ ଜେଲ ଦଣ୍ଡ ମିଳିଛି ।

You might also like