ଦିଲ୍ଲୀ ନଛାଡ଼ିବାକୁ ଶ୍ରମିକଙ୍କୁ କେଜ୍ରିୱାଲ୍ଙ୍କ ଅନୁରୋଧ
ନୂଆଦିଲ୍ଲୀ: ଶ୍ରମିକଙ୍କୁ ଦିଲ୍ଲୀ ନଛାଡ଼ିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଶ୍ରମିକଙ୍କ ପାଇଁ ରହିବା ଓ ଖାଇବା ସହ ଅନ୍ୟ ସମସ୍ତ ସୁବିଧା କରାଯାଇଛି। ଏନେଇ ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା ହୋଇଥିବା କେଜ୍ରିଓ୍ୱାଲ କହିଛନ୍ତି।
କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହ୍ୱାନ ଦିଆଯାଇଥିବା ଲକ୍ଡାଉନ୍ ଏବେ ଦେଶ ପାଇଁ ନିହାତି ଆବଶ୍ୟକ। ଏଭଳି ସ୍ଥିତିରେ ଦିଲ୍ଲୀ ଛାଡ଼ି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବା ଦ୍ୱାରା କରୋନା ଭାଇରସ ସଂକ୍ରମଣ ସମ୍ଭାବନା ଅଧିକ ରହିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି।
ଅପରପକ୍ଷେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଶ୍ରମିକମାନେ ଏକାଠି ହୋଇ ରାଜ୍ୟ ଛାଡ଼ିବା ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବିଭିନ୍ନ ରାଜ୍ୟରେ ଥିବା ଶ୍ରମିକଙ୍କୁ ଖାଇବା ଓ ରହିବା ସୁବିଧା କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର।
ଗତକାଲି ଲକ୍ଉନ୍କୁ ବେଖାତିର କରି ବିଭିନ୍ନ ରାଜ୍ୟରୁ ଆସିଥିବା ହଜାର ହଜାର ଶ୍ରମିକ ଘରକୁ ପେରିବା ପାଇଁ ଦିଲ୍ଲୀର ଆନନ୍ଦବିହାର ଅଞ୍ଚଳରେ ଥିବା ବସ୍ ଷ୍ଟାଣ୍ଡରେ ଭିଡ଼ ଜମାଇଥିଲେ। ଯାହା ସାରା ଦେଶର ଚିନ୍ତା ବଢ଼ାଇଥିଲା। ଯୋଗୀ ସରକାର ନିଜ ଲୋକଙ୍କୁ ନେବା ପାଇଁ କିଛି ବସ୍ର ବ୍ୟବସ୍ଥା କରିଥିଲେ। ଦେଖୁ ଦେଖୁ ସେଠାରେ ଭିଡ଼ ଅଧିକ ଜମା ହୋଇଥିଲା। ନିକଟ ଅଞ୍ଚଳରେ ଥିବା ଅନେକ ଲୋକ ସେଠାରେ ଭିଡ଼ ଜମାଇଥିଲେ।
ତେବେ ବର୍ତ୍ତମାନ ସୁଦ୍ଧା ଉତ୍ତର ପ୍ରଦେଶ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ୭୯ଟି ବସରେ ଶ୍ରମିକମାନଙ୍କୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପହଞ୍ଚାଯାଇଛି। ଏହା ସତ୍ତ୍ୱେ ଶ୍ରମିକମାନଙ୍କ ଭିଡ଼ କମିନି। ଖାଲି ଦିଲ୍ଲୀ ନୁହେଁ ନୋଏଡ଼ା, ଗାଜିଆବାଦ୍ ସମେତ ଦିଲ୍ଲୀ-ହରିୟାଣା ଏବଂ ୟୁପି ସୀମାରେ ସମାନ ପରିସ୍ଥିତି ଉପୁଜିଛି। କରୋନା ବ୍ୟାପିବା ପରେ ସାମାଜିକ ଦୂରତାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ହେଲେ ଏଭଳି ପରିସ୍ଥିତି ଏବେ ସମସ୍ୟା ଅଧିକ ବଢ଼ାଇଛି।