କରୋନା: ଆମେରିକାରେ ୨୪ ଘଣ୍ଟାରେ ୩୪୫ ମୃତ, ୧୮ ହଜାର ଆକ୍ରାନ୍ତ ଚିହ୍ନଟ

ୱାଶିଂଟନ:ଇଟାଲି ଏବଂ ସ୍ପେନ ପରେ ଏବେ ଦୁନିଆର ମହାଶକ୍ତିଶାଳୀ ଦେଶ ଆମେରିକାରେ କରୋନା ଭାଇରସ୍ ସଂକ୍ରମଣର ପ୍ରଭାବ ବେଶି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ଏହି ଭାଇରସ୍‌ ୩୪୫ ଜଣଙ୍କ ମୁଣ୍ଡ ନେଇଛି। ଏଥି ସହିତ ୧୮,୦୦୦ ନୂଆ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ଏଠାରେ ୧୫୫୦ ଛୁଇଁଲାଣି। ଏକ ଲକ୍ଷରୁ ଅଧିକ ଲୋକ ଏହି ସଂକ୍ରମଣରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ସଂକ୍ରମଣ ଯେପରି ଜଙ୍ଗଲରେ ନିଆଁ ଲାଗିଲା ପରି ଏଠାରେ ବ୍ୟାପିବାରେ ଲାଗିଛି। ଏପରି ଭୟାବହତା ଦେଖି ଦେଶରେ ଯେମିତି ହାହାକାର ପଡ଼ିଯାଇଛି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ଅଟୋମୋବାଇଲ କମ୍ପାନୀ ଜେନରଲ ମୋଟର୍ସ ଏବଂ ଫୋର୍ଡକୁ ଏବେ ଗାଡି ତିଆରି କରିବା ପରିବର୍ତ୍ତେ ଭେଟିଂଲେଟର ମେଶିନ ପ୍ରସ୍ତୁତ କରିବା ପାଇଁ କହିଛନ୍ତି।

ଆମେରିକାରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି ନ୍ୟୁୟର୍କ ସହର। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧାରୁ ଅଧିକ ନ୍ୟୁୟର୍କର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ ଡାକ୍ତରଖାନାରେ ଏବେ ଅକ୍ସଜେନ, କେଥିଟର ଏବଂ ଔଷଧର ଅଭାବ ଦେଖିବାକୁ ମିଳିଲାଣି। ଯଦି ନ୍ୟୁୟର୍କରେ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରା ନ ଯାଏ ତେବେ ଅବସ୍ଥା ଚୀନର ଉହାନଠାରୁ ମଧ୍ୟ ଅଧିକ ଗମ୍ଭୀର ହୋଇଯିବ ବୋଲି ବିଶେଷଜ୍ଞମାନେ ଏବେ ଆଶଙ୍କା ପ୍ରକାଶ କଲେଣି।

You might also like