ଚୀନ ପଠାଉଥିବା ମେଡିକାଲ କିଟ୍‌ ବ୍ୟବହାର ଉପଯୋଗୀ ନୁହେଁ

ନୂଆଦିଲ୍ଲୀ:କରୋନା ବିରୋଧରେ ଲଢ଼େଇ ପାଇଁ ଆବଶ୍ୟକ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ ‍ବା ପିପିଇର ଅଭାବ ଦୂର କରିବା ପାଇଁ ସରକାର ଚୀନରୁ ମଗାଇଛନ୍ତି କିଟ୍‌। ତଥାପି ଏହି ସମସ୍ୟାରୁ ମୁକ୍ତି ମିଳିବ ନାହିଁ। କାରଣ ଚୀନରୁ ଆସୁଥିବା ଏହି ଉପକରଣରୁ ଅନେକ ବ୍ୟବହାର ଉପଯୋଗୀ ହେଉ ନ ଥିବା ଅଭିଯୋଗ ଆସିଛି ।

ଇତିମଧ୍ୟରେ ଚୀନରୁ ୬.୫ ଲକ୍ଷ ଟେଷ୍ଟିଂ କିଟ୍‌ ଆସୁଛି ଯାହା ଆଜି ଆସି ଭାରତରେ ପହଞ୍ଚିବ। କେବଳ ଭାରତ ନୁହେଁ, ବିଶ୍ୱର ଅନେକ ରାଷ୍ଟ୍ରକୁ ପିପିଇ କିଟ୍‌ସ ପଠାଇଛି ଚୀନ। ହେଲେ ମେଡିକାଲ କିଟ୍‌ ଯୋଗାଣ ନାମରେ ଯେମିତି ସମସ୍ତଙ୍କ ସହ ମଜାକ କରୁଛି ଚୀନ୍‌। ୟୁରୋପୀୟ ଦେଶ ସମେତ ଅନେକ ଦେଶକୁ ଚୀନ ପଠାଉଥିବା କିଟ୍‌ ଅତି ନିମ୍ନମାନର ଯାହା ବ୍ୟବହାର ଉପଯୋଗୀ ହେଉ ନାହିଁ। ଅନେକ କିଟ୍‌ ପିନ୍ଧିବା ମାତ୍ରେ ଫାଟି ଯାଉଛି। ମାସ୍କ ମଧ୍ୟ ନିମ୍ନମାନର। କିଛ ଦିନ ତଳେ ଚୀନ ତାର ମିତ୍ର ଦେଶ ପାକିସ୍ତାନକୁ ଅଣ୍ଡରଓୟାରରେ ପ୍ରସ୍ତୁତ ମାସ୍କ ପଠାଇଥିବା ଖବର ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଭାରତ ସହ ମଧ୍ୟ ସେହିପରି ହରକତ କରୁଛି। ଯଦିଓ ସମାଲୋଚନା ପରେ ଏସବୁ କିଟ୍‌ର ଗୁଣାତ୍ମକ ମାନ ଚେକ କରିଛି ତଥାପି ତାହା ସନ୍ତୋଷଜନକ ନୁହେଁ।
ଏପ୍ରିଲ ୫ ତାରିଖ ସୁଦ୍ଧା ଭାରତରେ ଚୀନରୁ ଆସିଥିବା ପ୍ରାୟ ୧.୭୦ ଲକ୍ଷ ପିପିଇ କିଟ ସପ୍ଲାଇ ଆସିଥିଲା। ଏଥିରୁ ୫୦, ୦୦୦ କିଟ୍ କରୋନା ଟେଷ୍ଟ କରିବାରେ ବିଫଳ ହୋଇଥିଲା। ସୂଚନାଥାଉ କି, ଏହି ଉପକରଣର ଯାଞ୍ଚ ଗ୍ୱାଲିୟର ସ୍ଥିତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (DRDO) ସ୍ଥିତ ଲାବୋରଟୋରୀରେ ହୋଇଥିଲା।

ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଭାରତ କେବଳ CE ଓ FDA ଦ୍ୱାରା ମାନ୍ୟତା ପ୍ରାପ୍ତ ପିପିଇ କିଣୁଛନ୍ତି। ଏଠି କହି ରଖିବୁ ଅନେକ ଉପକରଣ ଦାନ ସୂତ୍ରରେ ମିଳୁଛି ଯାହା କ୍ଲାଲିଟି ଟେଷ୍ଟରେ କଟି ଯାଉଛି। ଅନ୍ୟପକ୍ଷେ ଦେଶରେ ଦୈନିକ ୧ ଲକ୍ଷ ପିପିଇର ଆବଶ୍ୟକତା ରହିଛି। ତେବେ ସାରା ବିଶ୍ୱରେ ଏହାର ଆବଶ୍ୟକତା ବଢୁଥିବାରୁ ପର୍ଯ୍ୟାପ୍ତ ପରିମାଣର କିଟ ଯୋଗାଇବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ସୂଚନାଥାଉ କି, ଭାରତ ତାର ଅଧିକରୁ ଅଧିକ କିଟ ଚୀନ, ଜାପାନ ଏବଂ କୋରିଆରୁ ମଗାଉଛି। ତେବେ ଜାପାନ ଏବଂ କୋରିଆର କିଟ୍‌ ଖୁବ୍‌ ମହଙ୍ଗା ପଡୁଛି।

 

You might also like