ସଂକ୍ରମିତଙ୍କ ପାଖରେ ମାତ୍ର ଏକ ମିନିଟ ରହିଲେ ମାଡ଼ି ଯାଉଛି ମହାମାରୀ  

କରୋନା ରୂପୀ ଦାନବରୁ ରକ୍ଷା ପାଇବାକୁ ହେଲେ ପିନ୍ଧନ୍ତୁ ମାସ୍କ ରୂପୀ କବଚ

ନୂଆଦିଲ୍ଲୀ : ସଂକ୍ରମଣ ବଢ଼ୁଥିବା ବେଳେ ମାସ୍କ ନପିନ୍ଧିବା ମୃତ୍ୟ ସହ ଖେଳିବା ସହ ସମାନ । ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ କରୋନାର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏସବୁ ମଧ୍ୟରେ ବିଶେଷଜ୍ଞଙ୍କ ମତ ଅନୁସାରେ ମାତ୍ର ଏକ ମିନିଟ ପାଇଁ ମଧ୍ୟ ସଂକ୍ରମିତଙ୍କଙ୍କ ସମ୍ପର୍କରେ ଆସିଲେ କରୋନା ସଂକ୍ରମଣ ହେବାର ଅନେକ ସମ୍ଭାବନା ରହିଛି । ଏଥିପାଇଁ ଘରୁ ବାହାରିବା ପୂର୍ବରୁ ମନେକରି ମାସ୍କ ପିନ୍ଧିଯିବା ପାଇଁ ପରାମର୍ଶ ଦିଆଯାଇଛି ।

ଦିଲ୍ଲୀରେ ମାସ୍କ ବିନା ଘରୁ ଗୋଡ଼ କାଢ଼ିବା ଅତି ଭୟଙ୍କର ହେବ । କରୋନାର ଦ୍ୱିତୀୟ ଲହରୀରେ ବିନା ମାସ୍କରେ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସହ ମାତ୍ର ଏକ ମିନିଟ୍ ରହିଲେ ବି କରୋନା ସଂକ୍ରମଣ କରୁଛି । ଡାକ୍ତରଙ୍କ କହିବା ଅନୁସାରେ ପ୍ରଥମ ଲହରୀରେ ସଂକ୍ରମିତଙ୍କ ସଂପର୍କରେ ୧୦ ମିନିଟ ଆସିଲେ ବିପଦର ସମ୍ଭାବନା ଥିଲା । ହେଲେ ଏଥର ଭାଇରସର ସଂକ୍ରମଣ ବହୁତ ତୀବ୍ର । ମାତ୍ର ଏକ ମିନିଟରେ ଲୋକଙ୍କୁ ସଂକ୍ରମିତ କରିପାରୁଛି ବୋଲି ମତ ଦେଇଛନ୍ତି, ବିଏଲକେ ସୁପର ସ୍ପେସାଲିଟି ହସ୍ପିଟାଳର ଶ୍ୱାସକ୍ରିୟା ବିଶେଷଜ୍ଞ ସଞ୍ଜୀବ ନାୟର ।

ସେହିପରି କରୋନାର ଦ୍ୱିତୀୟ ଲହରୀରେ ୨୦ରୁ ୩୦ ବର୍ଷର ଯୁବକଙ୍କୁ ଅଧିକ ସଂକ୍ରମିତ କରୁଥିବା ସୂଚନା ମିଳିଛି । ସ୍ଥତି ଏତେ ଭୟଙ୍କର ହୋଇଗଲାଣି ଯେ ଜଣେ ବ୍ୟକ୍ତି ସଂକ୍ରମିତ ହେବାଦ୍ୱାରା ପୂରା ପରିବାର ପଜିଟିଭ୍ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ରାଜଧାନୀ ଦିଲ୍ଲୀ କରୋନା ଭାଇରସ୍ ଦ୍ୱାରା ପ୍ରଭାବିତ ସହରଗୁଡିକରେ ଶୀର୍ଷରେ ରହିଛି। ଗତ  ବୁଧବାର ଦିନ, ଦିଲ୍ଲୀରେ ୧୭୨୮୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୪ ଜଣଙ୍କର ଜୀବନ ନେଇଥିଲା ଭାଇରସ୍ ।

ସୂଚନାଯୋଗ୍ୟ ଦେଶରେ କରୋନାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ଆଜି ଦୈନିକ ସଂକ୍ରମଣ ଟପିଲା ୨ ଲକ୍ଷ ଟପିଛି । ଗୋଟିଏ ଦିନରେ ୨ ଲକ୍ଷ ୭୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ଦେଶରେ ୧ ହଜାର ୩୮ ଜଣ କରୋନାରେ ଜୀବନ ହାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ ହୋଇଥିବା ୧,୦୩୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ ମୃତ୍ୟୁସଂଖ୍ୟା ୧,୭୩,୧୨୩ରେ ପହଞ୍ଚିଛି । ଏବେ ଦେଶରେ ସୁସ୍ଥ ଲୋକଙ୍କ ହାର ହ୍ରାସ ପାଇ ୮୯.୫୧ରେ ପହଞ୍ଚିଛି । ବର୍ତ୍ତମାନ ଆକ୍ଟିଭ କେସ୍ ୧୪ ଲକ୍ଷ ୭୧ ହଜାର ଉପରେ ରହିଛି । ଦେଶରେ ଏପର୍ଯ୍ୟନ୍ତ ୧୧ କୋଟି ୪୪ ଲକ୍ଷ ୯୩ ହଜାରରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା ସୂଚନା ମିଳିଛି।

You might also like