ମଣିଷ ପରେ ବାଘକୁ ହେଲା କରୋନା

ନୂଆଦିଲ୍ଲୀ:ମାରାତ୍ମକ କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରୁ ଚିନ୍ତା ବଢ଼ାଇବାରେ ଲାଗିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଜଙ୍ଗଲୀ ପଶୁଙ୍କୁ ସଂକ୍ରମିତ ହେବା ନୂଆ ମାମଲା ସାମ୍ନାକୁ ଆସିଛି। ଆମେରିକାର ନ୍ୟୁୟର୍କର ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ବାଘୁଣୀ ଏହି କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି।

ୱାଇଲ୍ଡ ଲାଇଫ୍ କନଞ୍ଜରଭେସନ ସୋସାଇଟିର ବ୍ରୋନକ୍ସ ‘ଜୁ’ କହିବା ଅନୁଯାୟୀ, ଚାରି ବର୍ଷିୟା ବାଘୁଣୀ ନାଦିଆର ଶୁଖିଲା କାଶ ହେଉଛି ଏବଂ ସଂକ୍ରମିତ ହେବା ପରେ ଏହାକୁ ନଜରରେ ରଖାଯାଇଛି।

ଏହି ପ୍ରାଣୀ ଉଦ୍ୟାନରେ ଥିବା ସମାନ ପ୍ରଜାତିର ଅନ୍ୟ ୬ଟି ପ୍ରାଣୀଙ୍କର ମଧ୍ୟରେ ସମାନ ଲକ୍ଷଣ ଦେଖିବାକୁ ମିଳିଛି।  ସାରା ବିଶ୍ୱରେ ଏହା ହେଉଛି ପ୍ରଥମ ଘଟଣା ଯେ ଜଙ୍ଗଲୀ ପଶୁମାନେ ବି କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି।

କୃଷି ବିଭାଗର ଜାତୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଲ୍ୟାବରେ ବାଘୁଣୀର ପରୀକ୍ଷା କରାଯାଇଥିଲା। ୟୁଏସଡିଏ (USDA) ଅନୁଯାୟୀ, ବାଘୁଣୀଟି କୋଭିଡ-୧୯ରେ ସଂକ୍ରମିତ ହେବା ହେଉଛି ପ୍ରଥମ ଘଟଣା। ଜୁରେ ଥିବା ଅନେକ ବାଘ ଏବଂ ସିଂହଙ୍କ ମଧ୍ୟରେ ସମାନ ଲକ୍ଷଣ ଦେଖିବାକୁ ମିଳିଛି।

ୟୁଏସଡିଏ ଅନୁଯାୟୀ, ସେଠାରେ ଥିବା ‘ଜୁ’ଙ୍କ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ବାଘୁଣୀଟି ପଜିଟିଭର ଶିକାର ହୋଇଥିବା କୁହାଯାଇଛି। ମାର୍ଚ୍ଚ ୨୭ରୁ ଏହି ବାଘୁଣୀ ଶରୀରେ କରୋନା ଭାଇରସର ଲକ୍ଷଣ ଦେଖାଦେଇଥିଲା।

ବନ୍ୟଜନ୍ତୁ ସଂରକ୍ଷଣ ସୋସାଇଟିର କହିବା ଅନୁଯାୟୀ, ଏହି ବନ୍ୟଜନ୍ତୁମାନଙ୍କର ଖାଇବା ଇଚ୍ଛା କିଛି ମାତ୍ରାରେ କମି ଯାଇଛି। ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ଏହି ପଶୁମାନେ ଭଲ ଥିଲେ ମଧ୍ୟ ସେମାନେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି।

You might also like