ଧାର୍ମିକ ସଭାରେ ଯୋଗ ଦେବା ପରେ ୮୦୦ କରୋନା ସନ୍ଦିଗ୍ଧ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଇଲାକାରେ ଏକ ମସଜ୍ଜିଦ୍‌ରେ ଥିବା ୮୬୦ରୁ ଅଧିକ କରୋନା ସନ୍ଦଗ୍ଧଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।   ଆହୁରି ୩୦୦ ଲୋକଙ୍କୁ ଡାକ୍ତରଖାନା ଆଣିବା ପାଇଁ ଚେଷ୍ଟା ଚାଲିଛି। ଏହି ମସଜିଦ୍‌ ମଧ୍ୟରେ ମାଲେସିଆ, ଇଣ୍ଡୋନେସିଆ, ସାଉଦିଆରବ ଏବଂ କିର୍ଗିସ୍ଥାନ ସମେତ ଅନେକ ଦେଶର ୨୦୦୦ରୁ ଅଧିକ ପ୍ରତିନିଧି ଥିଲେ। ଏଠାରେ ଚାଲିଥିବା ଏକ ଧାର୍ମିକ ସଭାରେ ଯୋଗ ଦେବାପାଇଁ ଆସିଥିଲେ।  ଦିଲ୍ଲୀ ସରକାର ଏହି ମସଜିଦ୍‌ର ମୌଲାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଦେଶରେ ଲକ୍‌ ଡାଉନ ଘୋଷଣା କରାଯିବା ପରେ ସେ ବିଶାଳ ଧାର୍ମିକ ସଭାର ଆୟୋଜନ କରିଥିଲେ । ସେତିକି ନୁହେଁ, ଏହି କାର୍ଯ୍ୟକ୍ରମ ପାଇଁ ସେ କାହାଠାରୁ ଅନୁମତି ମଧ୍ୟ ନେଇ ନ ଥିଲେ ।

ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏହି ଘଟଣା ଜଣାପଡ଼ିବା ପରେ ଉକ୍ତ ଜମାତ ମୁଖ୍ୟାଳୟ ଭିତରେ ଥିବା ଲୋକଙ୍କୁ ସୋସିଆଲ ଡିଷ୍ଟାନ୍ସରେ ରଖାଯାଇଛି । ବାହାରେ ଏକ ଟେଣ୍ଟ କରାଯାଇଛି । ଯେଉଁଠି ଆଇସୋଲେସନରେ ରହିବା ବ୍ୟବସ୍ଥା କରାଯାଇଛି । ତେଣୁ ଏଠାକୁ ଯିଏ ଆସିବ ପ୍ରଥମେ କିଛି ଦିନ କ୍ୱାରେଣ୍ଟାଇନରେ ରହିବ ।
ଦିଲ୍ଲୀର ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ମରକଜ୍‌ ତବଲିଗି ମୁଖ୍ୟାଳୟରେ ୫୦୦୦ରୁ ଅଧିକ ଲୋକ ରୁହନ୍ତି । ତେବେ ଲକଡାଉନ ଘୋଷଣା କରାଯିବା ପୂର୍ବରୁ ଏଠାରେ ୧୦୦୦ରୁ ଅଧିକ ଲୋକ ଥିଲେ । ଏମାନଙ୍କ ମଧ୍ୟରେ ଅନେକ ବିଦେଶୀ ମଧ୍ୟ ଥିଲେ ।

ସୂଚନାଥାଉ କି, ଏହି ଧାର୍ମିକ ସଭାରେ ଯୋଗ ଦେଇଥିବା ତେଲେଙ୍ଗାନାର ୬ ଜଣ ଲୋକଙ୍କର କରୋନା ଭାଇରସରେ ମୃତ୍ୟୁ ଘଟିଥିଲା। ସେହିପରି ଆଣ୍ଡାମାନର ୧୦ ଜଣଙ୍କଠାରେ କରୋନା ପଜିଟିଭ ଥିବା ଚିହ୍ନଟ କରାଯାଇଥିଲା। ଏହି ୧୦ ଜଣଙ୍କ ମଧ୍ୟରୁ ୯ ଜଣ ଏହି ଧାର୍ମିକ ସଭାରେ ଯୋଗ ଦେଇଥିଲେ। ଅନ୍ୟଜଣେ ମହିଳା ଏମାନଙ୍କ ମଧ୍ୟରୁ ଜଣଙ୍କର ପତ୍ନୀ  ଓ ସେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ।

ତେବେ ଏହି ଘଟଣା ପରେ ପୋଲିସ ଏହି ଅଞ୍ଚଳକୁ ପୁରା ସିଲ୍‌ କରି ଦେଇଛି । ଡ୍ରୋନ କ୍ୟାମେରାରେ ଇଲାକା ଉପରେ ନଜର ରଖିଛି । ଏହାବ୍ୟତୀତ ନିଜାମୁଦ୍ଦିନ ଇଲାକାର ପ୍ରାୟ ୨୦୦୦ ଲୋକଙ୍କୁ  କ୍ୱାରେଣ୍ଟାଇନ୍‌  ରଖାଯାଇଛି । କିଛି ଲୋକଙ୍କୁ ଅଲଗା ଅଞ୍ଚଳକୁ ସିଫ୍ଟ କରାଯାଇଛି ।

 

You might also like