କେଉଁଠି କେତେ ଘଣ୍ଟା ରହିପାରେ କରୋନା ଭାଇରସ୍‌ ?

ନୂଆଦିଲ୍ଲୀ:କରୋନା ଭାଇରସ୍‌ ବା COVID-19 କୁ ନେଇ ଚାଲିଛି ଗବେଷଣା। ଘାତକ କରୋନାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଏକ ଗବେଷଣାରୁ କରୋନା ଭାଇରସର ସ୍ଥିତି ସମ୍ପର୍କରେ ଅନେକ କଥା ଜଣାପଡ଼ିଛି। କରୋନା ଭାଇରସ କେତେଘଣ୍ଟା ରହିପାରେ, କେତେ ଘଣ୍ଟା ସକ୍ରିୟ ରହିପାରେ ଏବଂ କେମିତି ଦୁର୍ବଳ ହୋଇଯାଏ ସେ ନେଇ ଗବେଷକମାନେ ତଥ୍ୟ ରଖିଛନ୍ତି।

ପବନରେ ୩ ଘଣ୍ଟା ରହିପାରେ କରୋନା ଭାଇରସ୍‌

ଏକ ଅଧ୍ୟୟନରୁ ଜଣାଯାଇଛି, କରୋନା ପବନରେ ଅଳ୍ପ କେତେ ଘଣ୍ଟା ବଞ୍ଚିପାରେ। ତେବେ ମାଟିରେ ବା ସ୍ଥଳ ଭାଗରେ କିଛି ଦିନ ବଞ୍ଚି ରହିପାରେ । ତେବେ ସ୍ଥଳ ଭାଗରେ ଏହା କେତେ ଦିନ ରହିବ ତାହା ସେହି ସ୍ଥାନର ସ୍ଥିତି ଉପରେ ନିର୍ଭର କରେ। ନାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ହେଲ୍‌ଥ (NIH), ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ (CDC) , ପ୍ରିନ୍ସଟନ ୟୁନିଭର୍ସିଟି ଏବଂ UCLA ପକ୍ଷରୁ ‘ଦ ନ୍ୟୁ ଇଂଲଡ ଜର୍ନାଲ ଅଫ ମେଡିସିନ୍‌’ ରେ ଏକ ଗବେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ କୁହାଯାଇଛି, କରୋନା ଭାଇରସ୍‌ ପବନରେ ୩ ଘଣ୍ଟା ବଞ୍ଚି ରହିପାରେ। କାଶିଲାବେଳେ ବା ଛିଙ୍କିଲା ବେଳେ ଏହି ଭାଇରସ ପବନରେ ମିଶିଥାଏ ଏବଂ ୩ ଘଣ୍ଟା ପର୍ଯ୍ୟନ୍ତ ଜିନ୍ଦା ରହିପାରେ।

ସ୍ଥଳଭାଗରେ ୩ ଦିନ ବଞ୍ଚି ରହିପାରେ ଭାଇରସ୍

ପବନ ଅପେକ୍ଷା କରୋନା ଭାଇରସ ସ୍ଥଳ ଭାଗରେ ବେଶି ସମୟ ରହିପାରେ। ବିଶେଷ କରି ପ୍ଲାଷ୍ଟିକ ଏବଂ ଷ୍ଟିଲ୍‌ ଜିନିଷରେ ଏହି ଭାଇରସ୍‌ ୨ରୁ ୩ ଦିନ ଯାଏ ଜିଇଁ ରହିପାରେ। ତେବେ କାର୍ଡବୋର୍ଡ ଉପରେ ଏହି ଭାଇରସ ୨୪ ଘଣ୍ଟା ରହିପାରେ। ସବୁଠାରୁ କମ୍‌ ସମୟ ଏହି ଭାଇରସ ବଞ୍ଚି ରହିପାରେ କପର ବାସନରେ। କପର୍‌ରେ ଏହି ଭାଇରସ ମାତ୍ର ୪ ଘଣ୍ଟା ରହିପାରେ।

ଏହି ରିସର୍ଚ୍ଚରେ ଆହୁରି କୁହାଯାଇଛି, କେବଳ ସ୍ପର୍ଶ କଲେ କରୋନା ଭାଇରସ୍‌ ସଂକ୍ରମିତ ହୁଏନି, ପବନରେ ମଧ୍ୟ ଏହା ସଂକ୍ରମିତ ହୋଇପାରେ। ତେବେ ଏହି ଭାଇରସ ପବନରେ ହେଉ ବା ସ୍ଥଳ ଭାଗରେ ହେଉ, ସମୟ କ୍ରମେ ଦୁର୍ବଳ ହୋଇଯାଏ। ଲୋକଙ୍କୁ ସଂକ୍ରମିତ କରିବାର କ୍ଷମତା କମିଆସେ।

ସୂଚନାଥାଉ କି, କରୋନା ଭାଇରସରେ ସାରା ଦୁନିଆରେ ୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି ଏବଂ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ଭାରତରେ ପ୍ରାୟ ୧୫୦ ଲୋକ ସଂକ୍ରମିତ ହୋଇଥିବାବେଳେ ୩ ଜଣଙ୍କର ମୃତ୍ୟୁ ଘଟି ସାରିଛି। ଏ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ କୌଣସି ଭ୍ୟାକ୍‌ସିନ ବାହାରି ପାରି ନ ଥିବାରୁ ଏହା ଦିନକୁ ଦିନ ଘାତକ ସାଜିଛି।

You might also like