ଯୋଗୀ ସରକାରଙ୍କ କଡା ନିଷ୍ପତ୍ତି: ପୋଲିସକୁ ଆକ୍ରମଣ କଲେ ଲାଗିବ ଏନ୍‌ଏସ୍‌ଏ

ଲକ୍ଷ୍ନୌ: କରୋନା ଭାଇରସକୁ ମାତ୍‌ ଦେବାପାଇଁ  ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ ସମୟରେ ପୋଲିସ ଉପରେ ଆକ୍ରମଣ ହେଉଥିବା ଘଟଣାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଯୋଗୀ ସରକାର କଡା ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି, ଏବେ ଯେଉଁମାନେ ପୋଲିସ ଉପରକୁ ଆକ୍ରମଣ କରିବେ ସେମାନଙ୍କ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଅନୁଯାୟୀ (NSA) ଲାଗୁ କରାଯିବ।

ସୂଚନାଥାଉ କି, ଦେଶର ଅନେକ ସ୍ଥାନରେ ପୋଲିସ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ଆସିଛି। ବିହାରର ମୁଙ୍ଗେର ଜିଲ୍ଲାର କାସିମ୍‌ବଜାର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା କରୋନା ଭାଇରସ ରୋଗୀଙ୍କୁ ଚିକିତ୍ସା ପାଇଁ ଯାଇଥିବା ପୋଲିସ ଏବଂ ଡାକ୍ତରଙ୍କୁ ପଥର ଫିଙ୍ଗିଥିଲେ।

ସେହିଭଳି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଥିବାବେଳେ ୯ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ସେମାନେ କହିଛନ୍ତି ଯେ, ଯେତେବେଳେ ଦକ୍ଷିଣ୨୪ପ୍ରଗଣା ଏବଂ ପଶ୍ଚିମ ମିଦନାପୁର ଜିଲ୍ଲାରେ ଲୋକଙ୍କୁ ଏକତ୍ରିତ ହେବାକୁ ଅଟକାଇଥିଲେ, ସେତେବେଳେ ସେମାନଙ୍କୁ ପଥର ଫିଙ୍ଗା ଯାଇଥିଲା।

କାସିମ୍‌ବଜାର ପୋଲିସ ଅଧିକାରୀ କହିଛନ୍ତି ଯେ, ହଜରତଗଞ୍ଜ ଅଞ୍ଚଳରେ ହେଇଥିବା ଘଟଣାରେ ଲୋକେ ପୋଲିସ ଜିପ୍‌ ଏବଂ ଡାକ୍ତରୀ କର୍ମଚାରୀଙ୍କ ଏକ ଆମ୍ୱୁଲାନ୍ସକୁ ପଥର ଫିଙ୍ଗିଥିଲେ।   ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଟିମ୍ ବଳ ପ୍ରୟୋଗ କରିଥିଲା।

You might also like