ଶୌଚାଳୟ କ୍ୱାରେଣ୍ଟିନ୍‌ରେ ରହିଲେ ଆଦିବାସୀ ପରିବାର

ଭୋପାଲ: ଦେଶରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଅବଧିକୁ ବଢ଼ାଇ ଦେଇଛନ୍ତି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ବାହାର ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ଯେନତେନ ପ୍ରକାରର ଚେଷ୍ଟା କରୁଛନ୍ତି। ସେମାନେ ଫେରିବା ପରେ ଗ୍ରାମବାସୀମାନେ କରୋନା ଭୟରେ  ତାଙ୍କୁ ଗାଁ ଭିତରକୁ ପଶିବାକୁ ଦେଉନାହାନ୍ତି। ଏନେଇ ପ୍ରଶାସନ ବାହାର ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟିନ୍‌ର ବ୍ୟବସ୍ଥା କରିଛନ୍ତି।  ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଗୁନା ଜିଲ୍ଲାର ଦେବିପୁରା ଗାଁରେ ସହାରିୟା ଆଦିବାସୀ ପରିବାରକୁ ଏକ ସ୍କୁଲରେ ଥିବା ଶୌଚାଳୟରେ କ୍ୱାରେଣ୍ଟିନ୍‌ରେ ରଖାଯାଇଥିବା ଅଭିଯୋଗ ହୋଇଛି। ଏହି ଆଦିବାସୀ ପରିବାର ରାଜଗଡ଼ ଜିଲ୍ଲାରୁ ଫେରିଥିବାରୁ ତାଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଥିଲା। ଉକ୍ତ ଶୌଚାଳୟରେ ଖାଦ୍ୟ ଥିବା ଏକ ପ୍ଲେଟ ସହିତ ପରିବାରର ମୁଖ୍ୟ ଭାୟା ଲାଲାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାୟା ଲାଲାଙ୍କ କହିବା ଅନୁଯାୟୀ, ସେ ତାଙ୍କ ପତ୍ନୀ ଭୁରୀ ବାଇ ଓ ତାଙ୍କର ଦୁଇ ପୁଅଙ୍କ ସହ ଶୁକ୍ରବାର ସନ୍ଧ୍ୟାରେ ନିଜ ଗାଁକୁ ଫେରିଥିଲେ। କିନ୍ତୁ ଗ୍ରାମବାସୀ ତାଙ୍କୁ ଗାଁରେ ପଶିବାକୁ ଦେଇନଥିଲେ।  ସେମାନଙ୍କର କରୋନା ଭାଇରସ ପରୀକ୍ଷା କରିବାକୁ ମଧ୍ୟ କହିଥିଲେ। ଏନେଇ ସ୍ଥାନୀୟ ପ୍ରଶାସନ ଲାଲାଙ୍କ ପରିବାରକୁ ଗାଁରେ ଥିବା ସ୍କୁଲରେ ରହିବାକୁ କହିଥିଲେ।

ରବିବାର ଦିନ ସକାଳେ ସ୍ୱାସ୍ଥ୍ୟ ଓ ଜିଲ୍ଲା ପ୍ରଶାସନର ଏକ ଟିମ୍ ବିଦ୍ୟାଳୟରେ ପହଞ୍ଚିଥିଲେ। ଏହି ଟିମ୍‌ ଦେଖିବାକୁ ପାଇଥିଲେ ଯେ ଲାଲା ଭାୟା ଶୌଚାଳୟରେ ଏକ ଖାଦ୍ୟ ପ୍ଲେଟ ସହ ବସିଥିଲେ। ଏହାକୁ ଦେଖି ଟିମ୍‌ ମଧ୍ୟରୁ ଜଣେ ବ୍ୟକ୍ତି ତାଙ୍କର ଫଟୋକୁ ଉଠାଇ ସ୍ୱାସ୍ଥ୍ୟ ବିଭାଗର ମନିଟରିଂ ଅଧିକାରୀଙ୍କୁ ପଠାଇଥିଲେ। ସେହି ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜିଲ୍ଲା ପ୍ରଶାସନଙ୍କ କହିବା ଅନୁଯାୟୀ, ଗ୍ରାମବାସୀମାନେ ଯେତେବେଳେ ଲାଲାଙ୍କ ପରିବାରକୁ ଗାଁ ଭିତରକୁ ପଶିବାକୁ ଦେଇନଥିଲେ , ସେତେବେଳେ ଲାଲାଙ୍କ ପରିବାରକୁ ଏକ ସ୍କୁଲ ଘରେ ରଖାଯାଇଥିଲା। କିନ୍ତୁ ଲାଲା ମଦ୍ୟପାନ କରି ତାଙ୍କ ପତ୍ନୀଙ୍କ ସହ ଝଗଡା କରି ଖାଦ୍ୟ ଥାଳି ଧରି ଶୌଚାଳୟକୁ ଚାଲି ଯାଇଥିଲେ। ଠିକ୍‌ ସେହି ସମୟରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଲାଲାଙ୍କ ଫଟୋ ଉଠାଇଥିଲେ।

ଲାଲାଙ୍କ ପରିବାର ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି। ସେମାନେ ସ୍କୁଲର ଶୌଚାଳୟ ଭିତରେ ରହୁନାହାନ୍ତି ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛନ୍ତି।

 

You might also like