ଲକଡାଉନରେ ନିଆରା ବାହାଘର; ବାଇକ୍‌ରେ ବସି କନ୍ୟାଘର ଗଲେ ବର

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରକୋପକୁ ଦେଖି ଜାରି ହୋଇଥିବା ଲକ୍‌ଡାଉନ୍‌ ସବୁ କାର୍ଯ୍ୟକ୍ରମକୁ ଏପଟସେପଟ କରି ଦେଇଛି। ବିଶେଷ କରି ବିବାହ ପରି ପାରିମ୍ପରିକ କାର୍ଯ୍ୟକୁ ନେଇ ଲୋକେ ବେଶି ହଇରାଣ ହେଉଛନ୍ତି। ଏପରି ପରିସ୍ଥିତିରେ ଉତ୍ତର ପ୍ରଦେଶର ଜଣେ ଯୁବକଙ୍କ ବାହାଘର ଚର୍ଚ୍ଚାର ବିଷୟ ହୋଇଛି।
ଯୁବକ ଜଣକ ବର ବେଶରେ ନିଜକୁ ସଜାଇଲେ। ଏକ ମୋଟର ସାଇକେଲରେ ନିଜ ବାପାଙ୍କୁ ବସାଇଲେ। ନିଜର ଆଉ ଦୁଇ ଜଣ ସାଙ୍ଗ ମଧ୍ୟ ତାଙ୍କ ସହ ଗଲେ। ଗୁରୁବାର ରାତିରେ କନ୍ୟା ଘରେ ପହଞ୍ଚିଲେ। ଯଥା ବିଧି ତାଙ୍କର ବିବାହ ସମ୍ପନ୍ନ ହେଲା ପରେ କନ୍ୟାକୁ ମୋଟର ସାଇକେଲରେ ବସାଇ ଘରକୁ ଆଣିଲେ।

କରୋନା ପାଇଁ ଜାରି କଟକଣା ଭିତରେ ଏପରି ଏକ ବିବାହ ଦେହାତ୍‌ ଥାନା ଅନ୍ତର୍ଗତ ନସୀରପୁର ଗାଁରେ ହୋଇଥିଲା। ୨୨ ବର୍ଷୀୟ ଯୁବକ ବିକାଶ କୁମାରଙ୍କ ବିବାହ ୧୮ ମାସ ତଳୁ ସ୍ଥିର ହୋଇଥିଲା। ଏହା ପୂର୍ବରୁ ତାଙ୍କର ନିର୍ବନ୍ଧ ମଧ୍ୟ ହୋଇଥିଲା।
ବିକାଶଙ୍କର ଇଚ୍ଛା ଥିଲା ତାଙ୍କର ବିବାହ ଖୁବ୍‌ ଧୂମ୍‌ଧାମରେ କରିବା ପାଇଁ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ କରିଥିଲେ। ହେଲେ କରୋନ ପ୍ରଭାବ ଏବଂ ଲକ୍‌ଡାଉନ୍‌ କାରଣରୁ ସବୁ ଯୋଜନା ଫସର ଫାଟିଗଲା। ତେବେ ବିକାଶ ତାଙ୍କ ବାହାଘରକୁ ସ୍ଥଗିତ ରଖିବାକୁ ଚାହୁଁ ନ ଥିଲେ । ତେଣୁ ଏପରି ଭାବେ ବିବାହ ସମ୍ପନ୍ନ କରିବାକୁ ପଡ଼ିଥିଲା।

ବିବାହ ସମୟରେ ସମସ୍ତେ ମାସ୍କ ପିନ୍ଧିଥିଲେ ଏବଂ ସାନିଟାଇଜର ବ୍ୟବହାର ମଧ୍ୟ କରୁଥିଲେ। ସ୍ଥାନୀୟ ଏକ ଗଣମାଧ୍ୟମକୁ ବିକାଶ କହିଛନ୍ତି, ସମାରୋହରେ ବାହା ହେବାର ସ୍ୱପ୍ନ ମୋର କରୋନା ପାଇଁ ହଜିଗଲା। ତେବେ ସମସ୍ୟା ସୁଧୁରିଗଲା ପରେ ବାହାଘର ଉତ୍ସବ ପାଳନ କରିବେ।
କରୋନା ପାଇଁ ଧୁମ୍‌ଧାମ୍‌ରେ ବାହା ହେବାର ସ୍ୱପ୍ନ ହଜିଗଲା, ଶେଷରେ ହେଲା ଏମିତି ନିଆରା ବାହାଘର।

You might also like