କରୋନା ଅପ୍‌ଡେଟ୍‌: ୨୪ ଘଣ୍ଟାରେ ୧୫ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ୧୫ ଜଣଙ୍କ ଜୀବନ ନେଲା କରୋନା। ନିଜାମୁଦ୍ଦିନ ଧର୍ମସଭା ପରେ ଦେଶରେ ଭୟଙ୍କର ରୂପ ଧାରଣ କରୁଥିବା କରୋନାରେ ଏବେ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।

ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୫ ଜଣଙ୍କ ମୃତ୍ୟୁ ସହ କରୋନା ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି।

ସେହିଭଳି ଗୋଟିଏ ଦିନ ଭିତରେ ଦେଶରେ ୩୨୪ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଯାହାକି ଅଦ୍ୟାବଧି ଗୋଟିଏ ଦିନ ଭିତରେ ସବୁଠୁ ଅଧିକ ପଜିଟିଭ୍ କେଶ ବୋଲି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏହାଙ୍କୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୬୯କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଦେଶରେ ଏଯାଏଁ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଥିବାର କୌଣସି ପ୍ରମାଣ ମିଳିନଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ।

ସାରା ଦେଶରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ପୂର୍ବରୁ ଥିବା ୨୨ ଓ ନୂତନ ଭାବେ ନିର୍ମିତ ୨୦ଟି ହସ୍ପିଟାଲ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ କରୋନା ଲଢେଇରେ ସାମିଲ ୫୦ରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ମନ୍ତ୍ରଣାଳୟ ଟୁଇଟ କରି ଜଣାଇଛି।

ସେପଟେ ବିଶ୍ୱର ଅନ୍ୟାନ୍ୟ ଦେଶରେ ମଧ୍ୟ ଆତଙ୍କ ଜାରି ରଖିଛି ମହାମାରୀ କରୋନା। କରୋନାରେ ବିଶ୍ୱର ମୋଟ ୯ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୪୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି।

ସର୍ବାଧିକ ଆକ୍ରାନ୍ତ ଆମେରିକାରେ ଠାବ ହୋଇଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୫ ହଜାର ଟପିଛି। ସେହିପରି ଏକ ହଜାର ୪୯ ଜଣଙ୍କ ମୃତ୍ୟୁ ପରେ ୫ ହଜାର ୧୧୩ ଜଣ ପ୍ରାଣ ହରାଇଲେଣି।

ସେହିଭଳି ଇଟାଲି ଓ ସ୍ପେନରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଇଟାଲିରେ ଆଜି ସୁଦ୍ଧା ୧୩ ହଜାର ୧୫୫ ଜଣ ପ୍ରାଣ ହରାଇଥିବା ବେଳେ ସ୍ପେନରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ସ୍ପେନରେ ଆଜି ଗୋଟିଏ ଦିନରେ ସର୍ବାଧିକ ୯୫୦ ଜଣଙ୍କ ଜୀବନ ନେଇଛି କରୋନା। ଏସବୁ ଦେଶ ବାଦ୍ ଜର୍ମାନୀ, ଫ୍ରାନ୍ସ, ଇରାନ ଓ ୟୁକେରେ ଆକ୍ରନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ି ଚାଲିଛି।

You might also like