ମହାରାଷ୍ଟ୍ର: ୨୪ ଘଣ୍ଟାରେ ୨୯୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ସତ୍ତ୍ୱେ ହୁ ହୁ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା।  ୨୪ ଘଣ୍ଟାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି । ଗୋଟିଏ ଦିନରେ ୬୬୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ  ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୨୫ ହଜାର ପାର ହୋଇଛି । ସେମାନଙ୍କ ମଧ୍ୟରୁ ୬୯ହଜାର ୫୯୭ଜଣ ଚିକିତ୍ସିତ ହେଉଥିବା ବେଳେ ୫୧ ହଜାର ୭୮୩ ଜଣ ଆରୋଗ୍ୟ ହୋଇଛନ୍ତି । ଗତକାଲି ୧୩୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୩୭୨୦ରେ ପହଞ୍ଚିଛି।

ମହାରାଷ୍ଟ୍ରରେ ଶୁକ୍ରବାର ସର୍ବାଧିକ ୨୯୪୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ମାମଲା ସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୪,୫୮୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ମହାରାଷ୍ଟ୍ରରେ ୬୩ ଜଣଙ୍କ ଜୀବନ ନେଇଛି କରୋନା।

ବିଶ୍ୱରେ ମଧ୍ୟ କରୋନା ଆକ୍ରାନ୍ତ ଦେଶ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ୧୮୦ରୁ ଅଧିକ ଦେଶରେ କରୋନା ତାର କାୟା ବିସ୍ତାର କରିସାରିଲାଣି। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଟପିଲାଣି। ୫୧ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି।

ତେବେ ସବୁଠାରୁ ଚିନ୍ତାର ବିଷୟ, ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ  ଲାଗିଛି।

You might also like