କରୋନା ମୃତ୍ୟୁ: ଅଧିକ ପ୍ରଭାବିତ ଦେଶ ତାଲିକାରେ ଭାରତ ୩ ନମ୍ବରରେ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ରବିବାର ଏକ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ଅନୁସାରେ, କରୋନାରେ ସର୍ବାଧିକ ମୃତ୍ୟୁ ଘଟିଥିବା ରାଷ୍ଟ୍ରମାନଙ୍କ ତାଲିକାରେ ଭାରତ ୩ୟ ସ୍ଥାନରେ ରହିଛି ।  ଆମେରିକା ଏବଂ ବ୍ରାଜିଲ ଭାରତ ଉପରେ ରହିଛନ୍ତି ।

ମହାମାରୀର ୨ୟ ଲହର ଭାରତରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି । ମହାମାରୀ ଦେଶରୁ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ଗତ ୨ ମାସ ହେଲା କରୋନାର କୋପ ଆହୁରି ଭୟାବହ ହୋଇଛି । ଦୈନିକ ଲକ୍ଷଲକ୍ଷ ଲୋକ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ସରକାରୀ ହିସାବରେ ଏହି ତଥ୍ୟ ୩ ଲକ୍ଷରୁ ଅଧିକ ହୋଇଥିବାବେଳେ ବେସରକାରୀ ଭାବେ କେତେ ହେବ ତାହା ସହଜରେ ଅନୁମେୟ ।

Worldometers.info    ତଥ୍ୟ ଅନୁସାରେ, ଭାରତରେ ୩,୦୦,୩୧୨ ଜଣଙ୍କର କୋଭିଡ ଜନିତ ମୃତ୍ୟୁ ଘଟିଛି । ଏହି ସଂଖ୍ୟା ଆମେରିକାର ମୃତ୍ୟୁ ସଂଖ୍ୟାର ପ୍ରାୟ ଅଧା । ଆମେରିକାରେ ପ୍ରାୟ ୬ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଛି କରୋନା । ସେହିପରି ବ୍ରାଜିଲରେ କରୋନାରେ ୪ ଲକ୍ଷ ୪୮ ହଜାର ଲୋକଙ୍କ ଜୀବନ ଗଲାଣି । ଆମେରିକା, ବ୍ରାଜିଲ, ଭାରତ ପରେ ବିଶ୍‌:ରେ ଆଉ ୫ଟି ଦେଶରେ କୋଭିଡ ମୃତ୍ୟୁ ଭୟଙ୍କର ରୂପ ନେଇଛି । ମେକ୍ସିକୋରେ ୨.୨୧ ଲକ୍ଷ, ୟୁକେରେ ୧.୨୭ ଲକ୍ଷ, ଇଟାଲିରେ ୧.୨୫ ଲକ୍ଷ, ଋଷ୍‌ରେ ୧.୧୮ ଲକ୍ଷ, ଫ୍ରାନ୍ସରେ ୧.୦୮ ଲକ୍ଷ ଲୋକଙ୍କ ଜୀବନ ନେଲାଣି ଏହି ମହାମାରୀ ।

କରୋନା ମହାମାରୀ ସହ ଲଢୁଥିବା ଦେଶଙ୍କ ମଧ୍ୟରେ ଭାରତର ନମ୍ବର ୨ରେ ରହିଛି । କିନ୍ତୁ ମୃତ୍ୟୁ ହାର ଦେଖିଲେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ପଛରେ ରହିଛି । ଭାରତରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨ କୋଟି ୨୬ ଲକ୍ଷ ଥିବାବେଳେ ମୃତ୍ୟୁ ହାର ୧.୧୨ ପ୍ରତିଶତ । ଇଟାଲିରେ ମୃତ୍ୟୁ ହାର ୩ ପ୍ରତିଶତ ରହୁଥିବାବେଳେ ସବୁଠାରୁ ଅଧିକ ପ୍ରଭାବିତ ଦେଶ ଆମେରିକାରେ ମୃତ୍ୟୁ ହାର ୧.୮ ରହିଛି ।

ମହାମାରୀର ୨ୟ ଲହର ଭାରତରେ ଭୟଙ୍କର ରୂପ ନେଇଛି । ପ୍ରଥମ ଲହରରେ ଦେଶରେ ମୃତ୍ୟୁ ହାର ଯଥେଷ୍ଟ କମ୍‌୍ ଥିଲା । ଗତବର୍ଷ ସେପ୍ଟେମ୍ବରରେ କରୋନାର ପିକ୍‌ ଟାଇମ୍‌ରେ ଭାରତରେ ୯୭ ହଜାର ସଂକ୍ରମିତ ହୋଇଥିଲେ । ପ୍ରଥମ ଲହରରେ ଦେଶରୁ ୩୩ ହଜାର ଲୋକ କରୋନାରେ ଆଖି ବୁଜିଥିବାବେଳେ୨ୟ ଲହରରେ କେବଳ ଏପ୍ରିଲ୍‌ରେ ୪୯ ହଜାର ଲୋକଙ୍କ ଜୀବନ ନେଇଛି କରୋନା । ମେ’ରେ ଏହି ସଂଖ୍ୟା ବୃଦ୍ଧି ପାଇ ୮୭ ହଜାରରେ ପହଞ୍ଚି ଯାଇଛି । ମେ’ ଶେଷ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷରେ ପହଞ୍ଚି ଯିବାର ଆଶଙ୍କା ରହିଛି । ଫେବ୍ରୁଆରୀରେ ୨୭୬୫ ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଥିଲା । ସେତେବେଳେ କରୋନା ଯେ ଏତେ ଭୟାବହ ରୂପ ନେଇପାରେ ଏହା କେହି କଳ୍ପନା କରି ପାରି ନ ଥିଲେ । ୨୦୮ ଦିନରେ ଦେଶରେ ମହାମାରୀ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷରୁ ୩ ଲକ୍ଷରେ ପହଞ୍ଚି ସାରିଛି ।

ଦେଶରେ ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର । ଏଠାରେ ମହାମାରୀ ୮୭ ହଜାର ଲୋକଙ୍କ ଜୀବନ ନେଇ ସାରିଲାଣି । ସେହିପରି ଦିଲ୍ଲୀ, ତାମଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ପଞ୍ଚାବ, ଛତିଶଗଡ, ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦ ହଜାର ଉପରେ ରହିଛି ।

 

You might also like