ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗ ଦେଇଥିବା ୯ ଜଣଙ୍କ ମୃତ୍ୟୁ, ୨୪ ଆକ୍ରାନ୍ତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସଭା ବା ତବ୍ଲିଗି ଜମାତରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯ ଜଣଙ୍କର କରୋନାରେ ମୃତ୍ୟୁ ଘଟବା  ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ମାର୍ଚ୍ଚ ୧ରୁ ୧୫ ଯାଏଁ ହୋଇଥିବା ଏହି ଇସ୍ଲାମୀୟ ଧାର୍ମିକ ସଭାରେ ଯୋଗଦେଇଥିବା ଦେଶର ଅନେକ ଲୋକ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ଚିକିତ୍ସାଧିନ ଅବସ୍ଥାରେ ତେଲେଙ୍ଗାନାରେ ୬ ଜଣ, ଜାମ୍ମୁ ଓ କାଶ୍ମୀରରେ ଜଣେ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଜଣେ ଲେଖାଏ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ଏହାଛଡ଼ା ଜଣେ ଫିଲିପିନ୍ସ ନାଗରିକ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଜୀବନ ହରାଇଛନ୍ତି । ଏହାଛଡ଼ା ଏଠାକୁ ଆସିଥିବା ୨୪ ଜଣ ବିଦେଶୀ ମଧ୍ୟ କରୋନ ଆକ୍ରାନ୍ତ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି ।

ସୂଚନା ଥାଉ କି, ଏହି ଧର୍ମୀୟ ସଭାରେ ଦେଶ ଓ ଦେଶ ବାହାରୁ ୨୦୦୦ ପ୍ରତିନିଧି ଯୋଗ ଦେଇଥିଲେ । ସଭା ସରିବା ପରେ ପ୍ରତିନିଧିମାନେ ନିଜ ଅଞ୍ଚଳକୁ ଫେରିଥିଲେ । ପରେ ଏମାନେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଟ୍ରାଭେଲ୍ ହିଷ୍ଟ୍ରି ଅନୁଧ୍ୟାନ କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ଏମାନେ ଦିଲ୍ଲୀର ନିଜାମୁଦ୍ଦିନରେ ଧର୍ମ ସଭାରେ ଯୋଗ ଦେଇଥିଲେ।

ତେଲେଙ୍ଗାନାରେ ପ୍ରାଣ ହରାଇଥିବା ୬ ଜଣଙ୍କ ମଧ୍ୟରୁ ୨ ଜଣ ହାଇଦ୍ରାବାଦ ଗାନ୍ଧି ହସ୍ପିଟାଲରେ, ଜଣେ ଆପୋଲୋ ହସ୍ପିଟାଲ ଓ ଜଣେ ଗ୍ଲୋବାଲ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି।  ଅନ୍ୟ ୨ ଜଣଙ୍କ ମଧ୍ୟରୁ ଜଣେ ଗଡ଼ଓ୍ୱାଲ ଜିଲ୍ଲା ଓ ଜଣେ ନିଜାମାବାଦରେ ପ୍ରାଣ ହରାଇଥିବା ତେଲଙ୍ଗାନା ସରକାର ସ୍ପଷ୍ଟ କରିଛନ୍ତି।

ତେବେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ ପାଇଁ ପ୍ରାଶାସନିକ ସ୍ତରରେ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି।  ସେପଟେ ନିଜାମୁଦ୍ଦିନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ଦିଲ୍ଲୀ ସରକାରଙ୍କ ଦ୍ୱାରା ୨୦୦ରୁ ଅଧିକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ଉତ୍ତରପ୍ରଦେଶରେ ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ସଂକ୍ରମଣ ହୋଇଛି କି ନାହିଁ ଏନେଇ ତୁରନ୍ତ ପରୀକ୍ଷା କରିବାକୁ ୧୮ଟି ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସଭାସ୍ଥଳକୁ ବିଶୋଧନ କରାଯାଇଛି।

ଡାକ୍ତରୀ ଟିମ୍ ପହଞ୍ଚି ସମସ୍ତଙ୍କର ଯାଞ୍ଚ କରାଯାଇଛି। ସେପଟେ ଏହି ଘଟଣାରେ ପୋଲିସ ପକ୍ଷରୁ ଏତଲା ଦାୟର କରାଯାଇଛି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି।

You might also like