୧୯୭୪ର ସେଇ ଦିନ, ଯେଉଁଦିନ ଏମିତି ଠପ୍‌ ହୋଇଯାଇଥିଲା ଦେଶ

କରୋନା : ଭାରତରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ସମସ୍ତ ଟ୍ରେନ ଚଳାଚଳ ବାତିଲ କରି ଦେଇଛି । ଏପରିକି ମାର୍ଚ୍ଚ ୩୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହାଦ୍ୱାରା ସାମାଜିକ ଦୂରତା ବଜାୟ ରହିବ । ତେବେ ମାଲଗାଡ଼ି ଚଳାଚଳ କରିବ ବୋଲି କୁହାଯାଇଛି । ଦେଖାଯାଇଛି ଦେଶର ଅନେକ ସହର ଲକ୍‌ ଡାଉନ କରାଯାଇଛି । ଲାଗୁଛି ଯେମିତି ସାରା ଦେଶ ଠପ୍‌ ହୋଇଯାଇଛି। ଏମିତି ସ୍ଥିତି ପୂର୍ବରୁ କେବେ ଦେଖାଯାଇ ନ ଥିଲା ।
ତେବେ ଦୂର ଅତୀତକୁ ଫେରି ଚାହିଁଲେ ଦିଶିଯାଏ ଏମିତି ଗୋଟିଏ ଦିନ । ୧୯୭୪ ମସିହାରେ ଏମିତି ଦିନେ ସମସ୍ତ ରେଳ ଚଳାଚଳ ବାତିଲ ହୋଇଥିଲା । ପୂର୍ବତନ ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ନେତୃତ୍ୱରେ ରେଳବାଇ ପକ୍ଷରୁ  ହରତାଳ ଡାକରା ଦିଆଯାଇଥିଲା।କେବଳ ମୁମ୍ବାଇ ନୁହେଁ ନୁହେଁ ବରଂ ପୂରା ଦେଶ ଯେମିତି ନିରବି ଯାଇଥିଲା ।
ସେତେବେଳେ ତୃତୀୟ ବେତନ କମିଶନ ଲାଗୁ ହୋଇଥିଲେ ମଧ୍ୟ ରେଳ କର୍ମଚାରୀମାନଙ୍କର ଦରମାରେ କୌଣସି ବୃଦ୍ଧି କରାଯାଇ ନ ଥିଲା । ଏହି ସମୟରେ ୧୯୭୩ ମସିହାରେ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ ଅଲ ଇଣ୍ଡିଆ ରେଲୱେ ମେନ୍ସ ଫେଡେରେସନର ଅଧ୍ୟକ୍ଷ ମନୋନୀତ ହୋଇଥିଲେ । ତାଙ୍କ ନେତୃତ୍ୱରେ ୧୯୭୪ ମସିହା ମେ’ ୮ ତାରିଖ ରେଳ କର୍ମଚାରୀମାନେ ହରତାଳ ଆରମ୍ଭ କରିଦେଲେ । ଏହି ହରତାଳରେ କେବଳ ମୁମ୍ବାଇ ନୁହେଁ ସାରା ଭାରତ ଯେମିତି ଥମି ଯାଇଥିଲା । ଖାଲି ଦରମା ନୁହେଁ ସମୟ ନିର୍ଘଣ୍ଟ କମାଇବାକୁ ମଧ୍ୟ ସେମାନେ ଦାବି କରିଥିଲେ । କାରଣ ସେତେବେଳେ ରେଳ କର୍ମଚାରୀମାନେ ଲଗାତାର କାମ କରୁଥିଲେ । ତଣେୁ ସେମାନେ ୮ ଘଣ୍ଟା କାମ କରିବା ପାଇଁ ଦାବି ନେଇ ଏହି ହରତାଳ କରିଥିଲେ ।
ଏହି ହରତାଳ ସମୟରେ ସାରା ଦେଶର ପ୍ରାୟ ୧୫ ଲକ୍ଷ ଲୋକ ଭାଗ ନେଇଥିଲେ । ଯେଉଁ ଆନ୍ଦୋଳନକୁ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ ଆରମ୍ଭ କରିଥିଲେ, କ୍ରମେ  ଏଥିରେ ଅନେକ ୟୁନିୟନ ସାମିଲ ହୋଇଥିଲେ ଆଉ ସେଥିପାଇଁ ଏହି ଆନ୍ଦୋଳନ ବିଶାଳ ରୂପ ନେଇଥିଲା । ଏହି ଆନ୍ଦୋଳନ  ହିଁ ଫାର୍ଣ୍ଣାଣ୍ଡିଜଙ୍କୁ ଜଣେ ଜାତୀୟ ସ୍ତର ନେତାର ମାନ୍ୟତା ଦେଇଥିଲା ଏବଂ ତାଙ୍କର ପରିଚୟ ଫାୟରବ୍ରାଣ୍ଡ ଶ୍ରମିକ ନେତା ହୋଇଗଲା ।
ସେ ସମୟରେ ହରତାଳକୁ ନିୟନ୍ତ୍ରଣ କରିବାକୁ ଯାଇ ଇନ୍ଦରା ଗାନ୍ଧି ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ଜେଲରେ ଭର୍ତ୍ତି କରିଥିଲେ । ଏହି ସମୟରେ ରେଳ କର୍ମଚାରୀମାନେ ନିଜ ନିଜ ପରିବାର ଧରି ରେଳ ଧାରଣା ଉପରେ ବସିଗଲେ । ଯାହାଫଳାର ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ଆନ୍ଦୋଳନକାରୀଙ୍କ ବିରୋଧରେ ସରକାରଙ୍କୁ କଡା ପଦକ୍ଷେପ ନେବାକୁ ପଡ଼ିଥିଲା । ଏପରିକି ରେଳ ଚଳାଚଳ ସ୍ୱାଭାବିକ କରିବା ପାଇଁ ସେନାବାହିନୀର ସହାୟତା ନେବାକୁ ପଡ଼ିଥିଲା । ମିଳିଥିବା ତଥ୍ୟ ଅନୁସାରେ,୩୦ ହଜାର ଶ୍ରମିକ ନେତାଙ୍କୁ ଜେଲ ଯିବାକୁ ପଡ଼ିଥିଲା । ପ୍ରାୟ ୩ ସପ୍ତାହ ପରେ ଅର୍ଥାତ୍‌ ୨୭ ମେ ୧୯୭୪ ଦିନ କୋଅର୍ଡିନେଶନ କମିଟି ହରତାଳ ବନ୍ଦ କରିବାକୁ ଘୋଷଣା କରିଥିଲା ।

 

You might also like