୧୦ ମିଟର ଦୂର ପର୍ଯ୍ୟନ୍ତ ପବନରେ ବ୍ୟାପିପାରେ ଭୂତାଣୁ

କରୋନା ସଂକ୍ରମଣକୁ ନେଇ ଜାରି ହେଲା ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଜାରି ହେଲା ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ।  ମହାମାରୀ ବ୍ୟାପିବାର ପ୍ରମୁଖ ମାଧ୍ୟମ ହେଉଛି ଏରୋସଲ ଏବଂ ଡ୍ରପ୍ଲେଟ୍ । ଏପରି ସୂଚନା ଦେଇଛି କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ ଏଡଭାଇଜରଙ୍କ କାର୍ଯ୍ୟାଳୟ ।   ଆଡଭାଇଜରିରେ କୁହାଯାଇଛି, ଭାରତରେ ମହାମାରୀ ପ୍ରକୋପ ମଧ୍ୟରେ ଆମକୁ ସାମାନ୍ୟ ନିୟମକୁ ମନେ ରଖିବାକୁ ହେବ ଏବଂ ଏହା ଦ୍ୱାରା ସାର୍ସ କୋଭିଡ-୨ ଭାଇରସର ସଂକ୍ରମଣକୁ ରୋକି ହେବ।

ଆଡଭାଇଜରୀରେ କୁହାଯାଇଛି, ଘର ହେଉ ବା  ଅଫିସ, ସବୁଠି ଭେଣ୍ଟିଲେଶନ ଜରିଆରେ ସଂକ୍ରମଣର ଭୟକୁ ଏଡାଇ ପାରିବା। ଯେଉଁଠି ଭେଣ୍ଟିଲେନନ ଭଲ, ସେଠି ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ଅନ୍ୟମାନଙ୍କ ପ୍ରତି ବିପଦ କମ୍‌ ରହିଛି।

ଭାରତ ସରାକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ ଏଡଭାଇଜର କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ଆଡଭାଇଜରିରେ କୁହାଯାଇଛି, ଏରୋସୋଲ ଏବଂ ଡ୍ରପଲେଟ୍‌ସ ଯୋଗୁ  ଭାଇରସର ଦ୍ରୁତ ଗତିରେ ସଂକ୍ରମିତ ହୋଇଥାଏ। ଏରୋସେଲ ପବନରେ ୧୦ ମିଟର ପର୍ଯ୍ୟନ୍ତ ଯାଇପାରେ। ଏଥିରେ କୁହାଯାଇଛି, ସଂକ୍ରମିତ ବ୍ୟକ୍ତିର ୨ ମିଟର ପର୍ଯ୍ୟନ୍ତ ଡ୍ରପଲେଟ ପଡିଥାଏ। ଏପରିକି କୌଣସି ବ୍ୟକ୍ତିଙ୍କର କରୋନା ଲକ୍ଷଣ ନ ଥିଲେ ବି ଡ୍ରପଲେଟ୍‌ ବାହାରି ଥାଏ ଯାହାଦ୍ୱାରା ଅନ୍ୟମାନେ ସଂକ୍ରମିତ ହୋଇଥାନ୍ତି।

ବଡ଼ ବଡ଼ ଡ୍ରପଲେଟ୍ ତଳେ ପଡ଼ି ଯାଏ ବା କୌଣସି ବସ୍ତୁରେ ଲାଖି ରହେ । ଅପେକ୍ଷାକୃତ ଛୋଟ ଛୋଟ ଏରୋସଲ ପବନରେ ଅଧିକ ଦୂର ଯାଇଥାଏ । ଏପରିକି ଏହା ୧୦ ମିଟର ଦୂର ପର୍ଯ୍ୟନ୍ତ  ପବନରେ ଯାଇପାରେ । ଭେଣ୍ଟିଲେସନ ସୁବିଧା ନ ଥିବା କୋଠରୀରେ ଡ୍ରପଲେଟ୍ ଓ ଏରୋସଲ୍ ଶୀଘ୍ର ଜମା ହୋଇଥାଏ ଏବଂ ଅଧିକ ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ଥାଏ । ତେଣୁ  ଖୋଲା ସ୍ଥାନରେ ସଂକ୍ରମଣର ସମ୍ଭାବନା କମ୍ ବୋଲି କୁହାଯାଇଛି।

ଲକ୍ଷଣ ନ ଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏତେ ଭାଇରାଲ୍ ଲୋଡ୍ ଥାଏ ଯେ, ତାହା ଅନେକ ଲୋକଙ୍କୁ ସଂକ୍ରମିତ କରିପାରିବ । ଜଣେ ବ୍ୟକ୍ତି ସଂକ୍ରମିତ ହେବାର ୨ ସପ୍ତାହ ଯାଏ ଲକ୍ଷଣ ପ୍ରକାଶ ପାଇନଥାଏ । ଏହି ସମୟରେ ସେ ବହୁ ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ଅଛି । ତେଣୁ ଜଣେ ବ୍ୟକ୍ତି ସବୁବେଳେ ମାସ୍କ ପିନ୍ଧିବା ଦ୍ୱାରା କରୋନା ଭାଇରସରୁ ରକ୍ଷା ପାଇପାରିବ।  ସଂକ୍ରମିତ ବ୍ୟକ୍ତିଠାରୁ ବାହାରିଥିବା ଡ୍ରପ୍ଲେଟ୍ ବିଭିନ୍ନ ସାମଗ୍ରୀରେ ଲାଗି ରହିଥାଏ, ତାକୁ ଛୁଇଁବା ପରେ ହାତ ସାବୁନରେ ଭଲ ଭାବେ ନ ଧୋଇଲେ ଏବଂ ମୁହଁ, ଆଖି, ନାକକୁ ଛୁଇଁଲେ ସୁସ୍ଥ ଲୋକକୁ ଆକ୍ରମଣ କରିପାରେ ଭୂତାଣୁ । ଗ୍ଲାସ୍, ପ୍ଲାଷ୍ଟିକ, ଷ୍ଟିଲରେ ବହୁ ସମୟ ଧରି କରୋନା ଭୂତାଣୁ ରହିଥାଏ ବୋଲି କୁହାଯାଇଛି । ତେଣୁ ଯେଉଁ ଅଧିକାଂଶ ସମୟରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା କବାଟ ହ୍ୟାଣ୍ଡଲ, ଲାଇଟ୍ ସ୍ବିଚ୍, ଟେବୁଲ, ଚେୟାରକୁ ବ୍ଲିଚ, ଫିନାଇଲରେ ସଫା କରିବା ଦ୍ୱାରା ସଂକ୍ରମଣରୁ ବର୍ତ୍ତି ହେବ।

ସଂକ୍ରମିତ ବ୍ୟକ୍ତି ନିଃଶ୍ୱାସ ଛାଡିବା, କଥା କହିବା, ଗୀତ ବୋଲିବା, ହସିବା, କାଶିବା ଏପରିକି ଛିଙ୍କିବା ସମୟରେ ଲାଳ ଏବଂ ନାକ ଦ୍ୱାରା ଡ୍ରପଲେଟ ଏବଂ ଏରୋସଲ ବାହାରିପାରେ ଯାହା ଦ୍ୱାରା ଭାଇରସ ସଂକ୍ରମିତ ହୋଇଯିବାର ଆଶଙ୍କା ରହିଛି। ତେଣୁ ଲୋକଙ୍କୁ ଡବଲ ମାସ୍କ ବା ଏନ-୯୫ ମାସ୍କ ପିନ୍ଧିବା ପାଇଁ ଆଡଭାଇଜରିରେ କୁହାଯାଇଛି।

ଘର ଏବଂ ଅଫିସରେ ଭେଣ୍ଟିଲେଶନ ଉପରେ ଗୁରୁତ୍ୱ ଦେବାକୁ ଆଡଭାଇଜରିରେ କୁହାଯାଇଛି। ସେଣ୍ଟ୍ରାଲ ଏୟାର ମ୍ୟାନେଜମେଣ୍ଟ ସିଷ୍ଟମ ଥିବା ବଡ ବଡ କୋଠାଘରେ ସେଣ୍ଟ୍ରାଲ ଏୟାର ଫିଲଟରରେ ସୁଧାର ଆଣିବାକୁ କୁହାଯାଇଛି। ଏଥିସହିତ ଅଫିସ୬, ଅଡିଟୋରିୟମ, ଶପିଂ ମଲରେ  ଗ୍ୟାବଲ ଫ୍ୟାନ ସିଷ୍ଟମ ଏବଂ ରୁଫ ଭେଣ୍ଟିଲେଟର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ପଙ୍ଖା ରଖିବା ସ୍ଥାନ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ପଙ୍ଖା ଏପରି ସ୍ଥାନରେ ରଖିବା ଉଚିତ ଯେଉଁଠି ଦୂଷିତ ବାୟୁ ସିଧାସଳଖ ଘରକୁ ଆସି ପାରିବ ନାହିଁ।

 

You might also like