ମହାରାଷ୍ଟ୍ର, ପଞ୍ଜାବର ସ୍ଥିତି ଉଦବେଗଜନକ

କରୋନାର ଭୟାବହତା ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା

ନୂଆଦିଲ୍ଲୀ : କରୋନା ସଂକ୍ରମଣର ନୂଆ ହଟସ୍ପଟ ପାଲଟିଛି ମହାରାଷ୍ଟ୍ର ଓ ପଞ୍ଜାବ । ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଉଦବେଗଜନକ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବର୍ତ୍ତମାନ ମହାରାଷ୍ଟ୍ର ଏବଂ ପଞ୍ଜାବ ସ୍ଥିତି ଚିନ୍ତାଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ହିଁ ନୂଆ ୨୪ ହଜାର କେସ୍ ମିଳିଥିବା ସୂଚନା ମିଳିଛି । ସଂକ୍ରମଣ ମାମଲା ହଠାତ ବୃଦ୍ଧି ପାଇବାରୁ ସର୍ବସାଧାରଣ ସ୍ଥାନ ମାନଙ୍କରେ ହୋଲି ଖେଳିବାକୁ ଅନୁମତି ଦିଆଯିବ ନାହିଁ ବୋଲି ବିଏମସି ଗାଇଡ଼ଲାଇନ୍ ଜାରି କରିଛି । ଆଇନ୍ ଉଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ସେହିପରି  ଲୋକସଂଖ୍ୟା ତୁଳନାରେ ପଞ୍ଜାବ ସ୍ଥିତି ମଧ୍ୟ ଉଦବେଗଜନକ ରହିଛି । ଦେଶର ସର୍ବାଧିକ ସଂକ୍ରମିତ ଚିହ୍ନଟ ୧୦ ଜିଲ୍ଲାରୁ ୯ଟି ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ଅନ୍ୟପଟେ ଗୁଜରାଟରୁ ଦୈନିକ ୧୭ଶହ ଏବଂ ମଧ୍ୟପ୍ରଦେଶରୁ ୧୫ଶହ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗୁଜରାଟର ସୁରତ, ଅହମ୍ମଦାବାଦ, ଭାବନଗରରୁ ବେଶୀ ସଂକ୍ରମିତ ବାହାରୁଛନ୍ତି । ଗତ ବର୍ଷ ମହାମାରୀ ଯୋଗୁଁ ଲୋକମାନେ ଘରେ ବନ୍ଦୀ ଅବସ୍ଥାରେ ଦିନ କାଟିବାକୁ ବାଧ୍ୟ ହୋଇଥିଲେ। ନୂଆ ବର୍ଷରେ କରୋନାରୁ ମୁକ୍ତି ପାଇବାର ଆଶା ଥିଲା, କିନ୍ତୁ ଦିନକୁ ଦିନ କରୋନା ମହାମାରୀ ନୂଆ ସଙ୍କଟର ଅଭାସ ଦେଉଛି । ଦେଶର ୧୮ଟି ରାଜ୍ୟରେ କରୋନାର ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ବିଭିନ୍ନ ରାଜ୍ୟରେ ଏବେ ସଂକ୍ରମଣ ବଢ଼ୁଥିବା ବେଳେ ଦେଶରେ ମହାମାରୀର ଆଉ ଏକ ଲହରୀ ଆସିବାର ଆଶଙ୍କା ରହିଛି।

ଗତ ୨୪ ଘଣ୍ଟାରେ ଦେଶରେ ୪୭ ହଜାର ୨୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୪ ହଜାର ୫୮କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଣ୍ଟାରେ ୨୭୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୦ ହଜାର ୪୪୧କୁ ବୃଦ୍ଧି ହୋଇଛି । ଏଯାବତ୍ ଦେଶରେ ୧ କୋଟି ୧୨ ଲକ୍ଷ ୫ ହଜାର ୧୬୦ ଜଣ ଆରୋଗ୍ୟ ହୋଇଥିବା ବେଳେ ଆକ୍ଟିଭ କେସ ହେଉଛି ୩ ଲକ୍ଷ ୬୮ ହଜାର ୪୫୭  । ବର୍ତ୍ତମାନ ସୁଦ୍ଧା ଦେଶରେ ୫କୋଟି ୮ ଲକ୍ଷ ୪୧ ହଜାର ୨୮୬ ଜଣ ଟିକା ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

You might also like