ସ୍ୱାସ୍ଥ୍ୟସେବାରେ ଚୀନ ସହିତ ସମାନ ହେବ ଭାରତ

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଜାରି ରଖିଛି। ସଂକ୍ରମିତ ଲୋକଙ୍କ ପାଇଁ ଆଇସୋଲେସନ୍‌ ୱାର୍ଡ ଶୀଘ୍ର ତିଆରି କରାଯାଉଛି। ଟ୍ରେନ୍‌ର ବଗିରେ ଲକ୍ଷେ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ନିର୍ମାଣ କରାଯିବ। ଏହା ପୂର୍ବରୁ ମଧ୍ୟ ଅନେକ ଡାକ୍ତରଖାନା ତିଆରି ସରିଛି ଓ ଅନେକ ମେଡିକାଲକୁ ଅନୁମୋଦନ ମିଳିଛି।

ରେଳବିଭାଗ  ୨୦ ହଜାର ବଗିକୁ ଆଇସୋଲେସନ ୱାର୍ଡରେ ପରିଣତ କରିବ। ଏହି ବଗିଗୁଡ଼ିକରେ ସମୁଦାୟ ୩.୨ ଲକ୍ଷରୁ ଅଧିକ ଶଯ୍ୟାର ବ୍ୟବସ୍ଥା କରାଯିବ।  ବଗିଗୁଡ଼ିକୁ  ଅଲଗା ଅଲଗା ଆଇସୋଲେସନ ୱାର୍ଡରେ ପରିଣତ କରିବା ପାଇଁ ସଶସ୍ତ୍ର ବାହିନୀ ମେଡିକାଲ୍ ସର୍ଭିସେସ୍, ଅନେକ ଜୋନର ମେଡିକାଲ୍ ବିଭାଗ, ଆୟୁଷ୍ମାନ ଭାରତ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ନିଆଯାଇଛି।

ରେଳବିଭାଗ କହିଛି ଯେ, ପ୍ରଥମେ ୫ହଜାର ବଗିକୁ  ଆଇସୋଲେସନ ୱାର୍ଡରେ ପରିଣତ କରିବା ପାଇଁ କାମ ଆରମ୍ଭ ହୋଇସାରିଛି। ଏଥିରେ ୮୦ହଜାର ବେଡ୍‌ ତିଆରି ହୋଇପାରିବ।

ଗତ ସପ୍ତାହରେ ଗୁଜୁରାଟରେ ମାତ୍ର ୬ ଦିନରେ ମୋଟ ୨୨୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରାଯାଇଥିଲା। ଏହି ଡାକ୍ତରଖାନାଗୁଡ଼ିକ ଅହମ୍ମଦାବାଦ, ରାଜକୋଟ, ସୁରଟରେ ତିଆରି କରାଯାଇଥିଲା।

ଚୀନ ପରି ଭାରତରେ ମଧ୍ୟ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରାଯାଉଛି। ଏହି ଡାକ୍ତରଖାନା ଓଡିଶାରେ ନିର୍ମାଣ ହେବ। କରୋନା ଭାଇରସ ପାଇଁ ଏହା ଦେଶର ସର୍ବ ବୃହତ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ହେବ।

କରୋନା ଭାଇରସ ଯୁଦ୍ଧରେ ଶିଳ୍ପପତିମାନେ ମଧ୍ୟ ସାହାଯ୍ୟର ହାତ ବଢ଼ାଉଛନ୍ତି। ରିଲାଏନ୍ସ ମଧ୍ୟ ମହାରାଷ୍ଟ୍ରରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଖୋଲିଛି। ମହାରାଷ୍ଟ୍ରରେ କରୋନାରେ ସର୍ବାଧିକ ରୋଗୀଥିବାରୁ ରିଲାଏନ୍ସ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଖୋଲାଯାଇଛି। କେବଳ କରୋନା ରୋଗୀଙ୍କ ପାଇଁ ତିଆରି କରାଯାଇଛି।

You might also like