କରୋନାରେ ପୁଣି ଜଣଙ୍କର ମୃତ୍ୟୁ

ମୁମ୍ବାଇ: ପୁଣି ଜଣେ କରୋନା ଭାଇରସ୍ ରୋଗୀଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।
ନିକଟରେ ବ୍ୟକ୍ତି ଜଣକ ୟୁନାଇଟେଡ୍ ଆରବ୍‌ ଏମିରେଟ୍ସରୁ ଅହମଦାବାଦ ଫେରିଥିଲେ। ପରେ ତାଙ୍କଠାରେ ଜ୍ୱର, କାଶ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଚିକିତ୍ସା କରାଯାଉଥିଲା। ସୋମବାର ତାଙ୍କର ମୃତ୍ୟ ଉହୋଇଥିବା ମୁମ୍ବାଇର ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କୋରପୋରେସନ୍‌(ବିଏମ୍‌ସି) ସୂଚନା ଦେଇଛି।

ତେବେ ମୃତ କରୋନା ରୋଗୀଙ୍କର ପୂର୍ବରୁ ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗ ଥିଲା। ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ମାର୍ଚ୍ଚ ୨୦ରେ ତାଙ୍କୁ ମୁମ୍ବାଇର କସ୍ତୁରବା ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିଯିବାରୁ ସୋମବାର ସନ୍ଧ୍ୟାରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ବୋଲି ବିଏମ୍‌ସି କହିଛି।

ତେବେ ସୋମବାର ସୁଦ୍ଧା ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶର କରୋନା ମୃତ୍ୟ ରିପୋର୍ଟକୁ ମିଶାଇ ଭାରତରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଥିଲା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। ତେବେ ମୁମ୍ବାଇ ମୃତ୍ୟୁକୁ ମିଶାଇ ବେସରକାରୀ ଭାବେ କରୋନା ମୃତ୍ୟ ସଂଖ୍ୟା ୧୦ ହୋଇଥିବା କୁହାଯାଉଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୪୪୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିଭଳି ୩୫ ଲୋକ ସୁସ୍ଥ ହୋଇ ଫେରିଛନ୍ତି।
ସୋମବାର ପଶ୍ଚିମବଙ୍ଗ ଓ ହିମାଚଳରେ କରୋନା ପ୍ରଥମ ମୁଣ୍ଡ ନେଇଛି। ପୂର୍ବରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ଗୁଜରାଟ ଓ ପଞ୍ଜାବରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

You might also like