ବଢିଲା କରୋନା ସଂକ୍ରମଣ: ୭ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହେଲା ଏଇ ଦେଶ

ଢାକା: କରୋନା ଭାଇରସ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଡୋଶୀ ବାଂଲାଦେଶରେ ୭ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇଛି। ଏଠାରେ ସୋମବାର ୫ ଏପ୍ରିଲରୁ ୭ ଦିନ ପର୍ଯ୍ୟନ୍ତ  ଲକ୍‌ଡାଉନ ଘୋଷଣା କରାଯାଇଛି। କେବଳ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍‌ ଦିଆଯାଇଛି।

ବାଂଲାଦେଶରେ କରୋନା ମାମଲା କ୍ରମାଗତ ଭାବେ ବଢିବାରେ ଲାଗିଛି। ଶୁକ୍ରବାର ୬୮୩୦ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ୫୦ ଲୋକଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ବଂଲାଦେଶରେ କରୋନା ରୋଗୀ ମୃତ୍ୟୁସଂଖ୍ୟା ୯୦୦୦ରୁ ଅଧିକ ହୋଇଗଲାଣି। ଏଠାରେ ପ୍ରଥମ କରୋନା ମାମଲା ୨୦୨୦ ମାର୍ଚ୍ଚ୮ ତାରିଖ ସାମ୍ନାକୁ ଆସିଥିଲା। ଏହାର ୨ ସପ୍ତାହ ପରେ ଏଠାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇଥିଲା। ଦେଶରେ ୨ୟ ଥର ପାଇଁ ଲକ୍‌ଡାଉନ ଘୋଷଣା କରାଯାଇଛି।

ସୂଚନାଥାଉ କି, ଗୁରୁବାର ମଧ୍ୟ ଦେଶରୁ ୬୪୬୯ ରୋଗୀ ଚିହ୍ନଟ ହୋଇଥିଲେ। ଗତବର୍ଷ ମାର୍ଚ୍ଚରେ ମହାମାରୀ ଆରମ୍ଭ ହେବା ପରେ ଗୋଟିଏ ଦିନ ସର୍ବାଧିକ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଥିଲେ। କୋଭିଡ ମାମଲା ବୃଦ୍ଧିକୁ ଦେଖି ପ୍ରଧାନମନ୍ତ୍ରୀ ଶେଖ ହାସିନା ସଂସଦରେ ଏକ ବୟାନ ଦେଇ ଲୋକଙ୍କୁ ଅଧିକ ସଚେତନ ହେବାକୁ ଆହ୍ୱାନ ଦେଇଛନ୍ତି  ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆମେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ସଂକ୍ରମଣକୁ ରୋକିବା ପାଇଁ ଆମେ ସମସ୍ତ ଚେଷ୍ଟା କରୁଛୁ। ହେଲେ ଏଥିପାଇଁ ଲୋକଙ୍କ ସହାୟତା ଜରୁରୀ। ‘  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ସଂଖ୍ୟା ୫୦ ପ୍ରତିଶତକୁ କମାଇ ଦେବାକୁ ଆଦେଶ ଦିଆଯାଇଛି। ଏହା ସହିତ ସମସ୍ତ ଧାର୍ମିକ, ସାମାଜିକ, ରାଜନୈତିକ ଏବଂ ଅନ୍ୟ ସମାରୋହ ଉପରେ କଟକଣା କରିବା ପାଇଁ କୁହାଯାଇଛି।

You might also like