ମ୍ୟାଚ୍ ନୁହେଁ, ସେ ଥିଲା ଇଟାଲି ପାଇଁ ଜୈବିକ ବମ୍
ରୋମ୍: ଇଟାଲିରେ କରୋନା ତାଣ୍ଡବ ହୃଦୟ ଥରାଇ ଦେଉଛି । ଏତେ ସମୃଦ୍ଧ ଦେଶ, ଅର୍ଥନୀତିଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଏତେ ଭଲ। ତଥାପି ଏମିତି କାହିଁକି ହେଲା ? କରୋନାର ଉତ୍ପତି ସ୍ଥଳ ଚୀନଠାରୁ ବି ଭୟାବହ ପରିସ୍ଥିତି ! କରୋନା ଭାଇରସ ଇଟାଲିରୁ ୮ ହଜାର ଜୀବନ ନେଇ ସାରିଲାଣି ।
ଇଟାଲିରେ ଏପରି ଭୟାବହ ସ୍ଥିତି କାହିଁକି ହେଲା ତାହାର ଉତ୍ତରରେ ଜଣେ ଡାକ୍ତର କହିଛନ୍ତି, ଫେବ୍ରୁଆରୀରେ ମିଲାନରେ ହୋଇଥିବା ଏକ ଚାମ୍ପିଅନ ଲିଗ୍ ମ୍ୟାଚ୍ ଇଟାଲି ପାଇଁ ଜୈବିକ ବମ୍ ପାଲଟିଲା । ଏହି ମ୍ୟାଚ୍୍ ଦେଖିବା ପାଇଁ ୪୦ ହଜାର ଲୋକ ଏକାଠି ହୋଇଥିଲେ ।
ଡାକ୍ତର ପ୍ରାନନ୍ସିକୋ ଫୋକେଙ୍କ କହିବା ଅନୁଯାୟୀ, ୧୯ ଫେବ୍ରୁଆରୀରେ ମିଲାନ ସହରରେ ଏକ ମ୍ୟାଚର ଆୟୋଜନ କରାଯାଇଥିଲା । ଆଟଲାଣ୍ଟା ଏବଂ ବେଲେସିଆ ମଧ୍ୟରେ ଏହି ମ୍ୟାଚ ଚାଲିଥିଲା । ଏହି ମ୍ୟାଚ୍ ଦେଖିବା ପାଇଁ ସ୍ୟେନ ସିରୋ ଷ୍ଟାଡିୟମରେ ପ୍ରାୟ ୪୦ ହଜାର ଦର୍ଶକ ଏକାଠି ହୋଇଥିଲେ । ଏହି ମ୍ୟାଚର ଦୁଇ ଦିନ ପରେ ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।
ଏହା ପୂର୍ବରୁ ସ୍ଥାନୀୟ ଜଣେ ମେୟର ମଧ୍ୟ ସମାନ କଥା କହିଥିଲେ । ସେ କହିଥିଲେ, ଏହି ମ୍ୟାଚ ପରେ ହିଁ ଇଟାଲିରେ କରୋନା ଦ୍ରୁତ ଗତିରେ ବ୍ୟାପିଥିଲା । କାରଣ ଏହି ମ୍ୟାଚ ଦେଖିବାକୁ ଅନେକ ୟୁରୋପୀୟ ଦେଶରୁ ଦର୍ଶକ ଆସିଥିଲେ । ବୋଧହୁଏ ସେହିଠାରୁ ଏହି ଭୟଙ୍କର ରୋଗ ବ୍ୟାପିଥିଲା ବୋଲି ମେୟର ଜଣକ ଅନୁମାନ କରିଛନ୍ତି ।
ମେୟରଙ୍କ ପରି ସ୍ଥାନୀୟ ବର୍ଗାମୋ ଡାକ୍ତରଖାନାର ଜଣେ ଡାକ୍ତର ମଧ୍ୟ ଏହି ମ୍ୟାଚ୍୍କୁ ଜୈବିକ ବମ୍ ବୋଲି ଅଭିହିତ କରିଛନ୍ତି । ସେ କହିଛନ୍ତି ଆଟଲାଣ୍ଟା ଟିମର କ୍ୟାପଟେନ୍ ଆଲେକ୍ଜାଣ୍ଡ୍ରା ଗୋମେଜ ମଧ୍ୟ ଡରି ଯାଇଥିଲେ । ଏବେ ଏଇ ମ୍ୟାଚ୍୍କୁ ନେଇ ସାରା ଇଟାଲିରେ ଚର୍ଚ୍ଚା ହେବାରେ ଲାଗିଛି ।
ସୂଚନାଥାଉ କି, ଇଟାଲିରେ ଏବେ ୬୨୦୩ ନୂଆ ଆକ୍ରାନ୍ତଙ୍କୁ ଠାବ କରାଯିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ଟପି ଗଲାଣି । ଏହାକୁ ରୋକିବା ପାଇଁ ଇଟାଲି ସରକାର ନାକେଦମ୍ ହୋଇଗଲେଣି । ଡାକ୍ତରଖାନାରେ ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି । ଏପରିକି ଡାକ୍ତରଖାନାରେ ଆଉ ଜାଗା ନାହିଁ । ଏବେ ସେଠାରେ ଏମିତି ପରିସ୍ଥିତି ହୋଇଛି, ବାହାରେ ଶେଡ୍୍ କରି ରୋଗୀଙ୍କ ପାଇଁ ବିଛଣା ପକାଯାଇଛି । ରୋଗୀଙ୍କ ପରିଜନଙ୍କୁ ଭିତରକୁ ଆସିବା ପାଇଁ ଦିଆଯାଉ ନାହିଁ । ଏପରିକି ଡାକ୍ତର ମଧ୍ୟ ସବୁ ରୋଗୀଙ୍କ ଚିକିତ୍ସା କରିପାରୁ ନାହାନ୍ତି ।
ମେଡିକାଲ କର୍ମଚାରୀଙ୍କ ଅଭାବରୁ ଆବଶ୍ୟକ ଚିକିତ୍ସା ସେବା ଏଠାରେ ମିଳି ପାରୁନାହିଁ । ସବୁଠାରୁ ଦୁଃଖର କଥା, ରୋଗୀର ମୃତ୍ୟୁ ପରେ ପରିବାର ଲୋକଙ୍କୁ ଶବ ଦେଖିବାକୁ ଦିଆଯାଉ ନାହିଁ । ସ୍:ାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ମୃତକଙ୍କ ପୋଷାକରେ ଏହି ଭାଇରସ କିଛି ଘଣ୍ଟା ପର୍ଯ୍ୟନ୍ତ ବଞ୍ଚି ରହୁଛି । ତେଣୁ ଶବ ପରିଜନ ଲୋକଙ୍କୁ ହସ୍ତାନ୍ତର କଲେ ରୋଗ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ମୃତ୍ୟୁ ପରେ ଶବକୁ ତୁରନ୍ତ ସିଲ କରି ଦିଆଯାଉଛି । ଇଟାଲି ପରମ୍ପରା ଅନୁସାରେ ଶବକୁ ତାଙ୍କର ମନପସନ୍ଦ ପୋଷାକରେ ଗୁଡ଼ାଇ କବର ଦିଆଯାଏ । ହେଲେ ଏହି ପରମ୍ପରାକୁ ଏଠାରେ ଭାଙ୍ଗି ଦିଆଯାଇଛି । ଡାକ୍ତରଖାନାରେ ମିଳୁଥିବା କପଡାରେ ଶବକୁ ଗୁଡ଼ାଇ କଫିନ ଦିଆଯାଉଛି ।