ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦କୁ ବୃଦ୍ଧି

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭାଇରସ ଯୋଗୁ ଭାରତରେ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ସୁଦ୍ଧା ସରକାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ କହିଥିଲେ ହେଁ ବେସରକାରୀ ଭାବେ ୧୧୩ରେ ପହଞ୍ଚିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଚାଇନାରେ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ଭାରତରେ ତା’ର କାୟା ବିସ୍ତାର କରିବାରେ ଲାଗିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗତକାଲି ଉତ୍ତରାଖଣ୍ଡରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ଜଣେ ଲେଖାଏ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଫଳରେ ଏଯାଏ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ଆଜି ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଏହି ୧୧୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦିଲ୍ଲୀ ଓ କର୍ଣ୍ଣାଟକାରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେହିପରି ୧୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୭ ଜଣ ବିଦେଶୀ ନାଗରିକ ଓ ୯୩ ଜଣ ଭାରତୀୟ ରହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କରୋନାରେ ଆକ୍ରାନ୍ତ ହୋଇଥିବା ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀରେ ୨ ଜଣ, କେରଳରେ ୩ ଜଣ, ରାଜସ୍ଥାନରେ ୩ ଜଣ, ତେଲେଙ୍ଗାନାରେ ଜଣେ, ଉତ୍ତର ପ୍ରଦେଶର ୪ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ଏବେ ସେମାନେ ଭାଇରସ ମୁକ୍ତ ହୋଇଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି।

ବର୍ତ୍ତମାନ ଦିଲ୍ଲୀରେ ୭ ଜଣ, ଆନ୍ଧ୍ର ପ୍ରଦେଶରେ ଜଣେ, କର୍ଣ୍ଣାଟକାରେ ୬, କେରଳରେ ୨୨, ମହାରାଷ୍ଟ୍ରରେ ୩୨, ପଞ୍ଜାବରେ ୧, ରାଜସ୍ଥାନରେ ୨, ତାମିଲନାଡ଼ୁରେ ୧, ତେଲେଙ୍ଗାନାରେ ୩, ଜମ୍ମୁ-କଶ୍ମୀରରେ ୨, ଲଦାଖରେ ୩, ଉତ୍ତର ପ୍ରଦେଶରେ ୧୨ ଓ ଉତ୍ତରାଖଣ୍ଡରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି।୧୭ ବିଦେଶୀ ନାଗରିକଙ୍କ ମଧ୍ୟରୁ ୧୬ ଜଣ ଇଟାଲୀର ଓ ଜଣେ କ୍ୟାନାଡାର ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

You might also like