ବିଗୁଡୁଛି ମହାରାଷ୍ଟ୍ରର ସ୍ଥିତି: ଦିନକରେ ୪୦ ହଜାର ନୂଆ ପଜିଟିଭ୍

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ କରୁଛି ଦୈନିକ ସଂକ୍ରମଣ। ୪୦୦ ମୁହାଁ ରାଜ୍ୟର କରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୯୪ ନୂଆ ପଜିଟିଭ୍। ଚଳିତ ବର୍ଷର ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ। ସବୁଠାରୁ ଅଧିକ ୭୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ। ସେଥିମଧ୍ୟରୁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ରହିଛନ୍ତି ୫୨ ଜଣ। ରମାଦେବୀ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପିକା କରୋନା ସଂକ୍ରମିତ ହେବା ପରେ ଆଜି କ୍ୟାମ୍ପସ୍‌ରେ କୋଭିଡ୍ ଟେଷ୍ଟ କରାଯାଇଛି। ସଂକ୍ରମଣ ଯେପରି ନବ୍ୟାପେ ସେଥିଲାଗି ହଷ୍ଟେଲ ଅନ୍ତେବାସୀଙ୍କର ବି କୋଭିଡ୍ ଟେଷ୍ଟ ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସେପଟେ ପଶ୍ଚିମ ଓଡ଼ିଶାରେ ଚିନ୍ତାଜନକ ଭାବେ ସଂକ୍ରମଣ ବଢୁଛି। ଆଜି କଳାହାଣ୍ଡିରୁ ୪୩, ନୂଆପଡାରେ ୪୦, ବରଗଡରେ ୩୪, ସୁନ୍ଦରଗଡରେ ୩୧ ନୂଆ ପଜିଟିଭ ବାହାରିଛନ୍ତି। ଏ ସବୁ ଜିଲ୍ଲା ପଡୋଶୀ ଛତିଶଗଡକୁ ଲାଗିଥିବାରୁ ସେଠାରୁ ସଂକ୍ରମଣ ବ୍ୟାପୁଥିବା ଆଶଙ୍କା କରାଯାଇଛି।

ଏଣେ କେନ୍ଦ୍ର ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ଆଜିଠାରୁ ଆରମ୍ଭ ହୋଇଛି। ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କର ଟିକାକରଣ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଭିନ୍ନ ସମ୍ବେଦନଶୀଳ ବର୍ଗର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଆଜିଠାରୁ ଦୈନିକ ୨ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ବଢୁଥିବା କରୋନା ସଂକ୍ରମଣକୁ ଦେଖି ଚଳିତ ମାସର ସବୁଦିନ ଟିକାକରଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

ତେଣେ ଦେଶରେ ଉଦ୍‌ବେଗଜନକ ଭାବେ ମାଡ଼ି ଚାଲିଛି କରୋନା। ଗତ ୨୪ ଘଣ୍ଟାରେ ୭୨ ହଜାର ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୯ଙ୍କ ମୃତ୍ୟୁ ହୋଇଛି। ସବୁଠାରୁ ଦୟନୀୟ ସ୍ଥିତିରେ ଥିବା ମହାରାଷ୍ଟ୍ରରେ ତ ଦିନକରେ ପାଖାପାଖି ୪୦ ହଜାର ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କରୋନାର ଦ୍ୱିତୀୟ ଲହରରେ ମାର୍ଚ୍ଚରେ ମହାରାଷ୍ଟ୍ରରେ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ୧୫ ହଜାର ୫୦୦ ପିଲା ସଂକ୍ରମିତ ହୋଇଛନ୍ତି। ସେହିପରି ୨୦ ବର୍ଷ ବୟସ ମଧ୍ୟରେ ମୋଟ୍ ୫୫ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି।

You might also like