ବିନା ମାସ୍କରେ ବୁଲିଲେ ନେତା: ବିଜେପିର ପୂର୍ବତନ ସାଂସଦଙ୍କ ପୁଅ ବାହାଘରରେ ଖୋଲାଖୋଲି କୋଭିଡ଼୍ ନିୟମ ଉଲ୍ଲଂଘନ

ନେତାଙ୍କ ପାଇଁ ନାହିଁ କି କୋଭିଡ଼୍ ନିୟମ ?

ମୁମ୍ବାଇ: ନେତାଙ୍କ ପାଇଁ ନାହିଁ କି କୋଭିଡ଼୍ ନିୟମ ? ନିୟମ କ’ଣ ଖାଲି ସାଧାରଣ ଲୋକଙ୍କ ପାଇଁ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନେତା କିନ୍ତୁ କରୋନା କଟକଣାକୁ ମାନୁ ନଥିବା ଦେଖିବାକୁ ମିଳିଛି। ରବିବାର ଦିନ ଅନୁଷ୍ଠିତ ହୋଇଥିବା ବିଜେପିର ପୂର୍ବତନ ସାଂସଦ ଧନଞ୍ଜୟ ମହାଦୀକଙ୍କ ପୁଅଙ୍କ ବିବାହ ସମାରୋହରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି। ଭିଡ଼ ଭିତରେ ମଧ୍ୟ ପ୍ରାୟ ଲୋକଙ୍କ ମୁହଁରେ ନଥିଲା ମାସ୍କ। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ବିନା ମାସ୍କରେ ପହଞ୍ଚିଥିବାର ଦେଖିବାକୁ ମିଳିଥିଲା। ବିବାହରେ ଯୋଗ ଦେଇଥିବା ନେତାମାନେ କରୋନା କଟକଣାର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। 

ସଂକ୍ରମଣ ବଢ଼ୁଥିବା ସମୟରେ ପ୍ରଶ୍ନ ଉଠିଛି, କୋଭିଡ ନିୟମ କ’ଣ ଭିଆଇପି ଲୋକଙ୍କ ପାଇଁ ନୁହେଁ ? ବିଜେପିର ପୂର୍ବତନ ସାଂସଦ ଧନଞ୍ଜୟ ମହାଦୀକଙ୍କ ପୁଅ ବାହାଘରରେ ଏହାର ସଦ୍ୟ ଉଦାହରଣ କହିଲେ ଚଳେ।ସଂକ୍ରମଣ ବଢ଼ୁଥିବା ବେଳେ ଏହି ଭିଆଇପି ବିବାହ ସମାରୋହରେ ୭୦୦ ଅତିଥିଙ୍କ ଆଗମନ ହୋଇଥିଲା। ସରକାର ଶୁଭକାର୍ଯ୍ୟରେ ୨୦୦ରୁ ଅଧିକ ଅତିଥି ଉପରେ ପ୍ରତିବନ୍ଧ ଲଗାଇଥିଲେ ସୁଦ୍ଧା ପୂର୍ବତନ ବିଜେପି ନେତା ଏକଥାକୁ ଅଣଦେଖା କରିଥିଲେ। ଅଧିକ ଲୋକଙ୍କୁ ନିମନ୍ତ୍ରିତ କରିଥିଲେ। ଉପସ୍ଥିତ ନେତାମନ୍ତ୍ରୀମାନେ ମାସ୍କ ନପିନ୍ଧିବା ସହ କୌଣସି କରୋନା ନିୟମ ମାନିନଥିଲେ। ଭିଡ଼ ଭିତରେ ବୁଲାବୁଲି କରୁଥିଲେ।ଶିବସେନା ନେତା ସଞ୍ଜୟ ରାଉତ ଓ ଅରବିନ୍ଦ ସାୱନ୍ତ ମଧ୍ୟ କରୋନା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଅମରାବତୀ ସହରରେ ସପ୍ତାହେ ପାଇଁ ଲକଡାଉନ କରାଯାଇଛି। ଅନ୍ୟପଟେ ପୁନେରେ ନାଇଟ କର୍ଫ୍ୟୁ ଓ ବିଭିନ୍ନ ସହରରେ କଟକଣା କଡ଼ାକଡ଼ି କରାଯାଇଛି।  ଉଦ୍ଧବ ସରକାରଙ୍କ ଅନୁରୋଧ କ୍ରମେ ଅନେକ ନେତା ନିଜ କାର୍ଯ୍ୟକ୍ରମ ବନ୍ଦ ରଖିଛନ୍ତି। ସୁପ୍ରିୟା ସୁଲେ ଓ ଉଦୟ ସାୱନ୍ତ ନିଜ କାର୍ଯ୍ୟକ୍ରମ ରଦ୍ଦ କରିଛନ୍ତି। ଉଦ୍ଧବ ଠାକରେ ଟେଲିଭିଜନ ମାଧ୍ୟମରେ କହିଛନ୍ତି,ଆଗାମୀ କିଛି ଦିନ ପାଇଁ ରାଜନୈତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ।

ସେପଟେ ରବିବାର ଦିନ ମହାରାଷ୍ଟ୍ରରେ ୬ ହଜାର ୯୭୧ ନୂଆ କରୋନା ମାମଲା ସାମ୍ନାକୁ ଆସିଥିଲା। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ପାର କରିସାରିଛି। ଲଗାତାର ୩ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ପାର କରିଛି। ରବିବାର ଦିନ ୩୫ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ତଥାପି ନେତାମନ୍ତ୍ରୀ ନଚେତିଲେ ସାଧାରଣ ଲୋକଙ୍କୁ କ’ଣ କୁହାଯିବ ?

You might also like